ବିଧାନସଭାରେ ଆଜି ଚାଲିପାରେ ସ୍ୱାଭାବିକ କାର୍ଯ୍ୟ
ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ । ଦୁଇ ଦିନର ଛୁଟି ପରେ ପୁଣି ବସିବ ଗୃହ ।ପ୍ରଥମ ଦିନରୁ ହିଁ ବିରୋଧୀ ଦଳ ବନ୍ୟା ଓ କୋଟିଆ ପ୍ରସଙ୍ଗ ନେଇ ହଙ୍ଗାମା ଆରମ୍ଭ କରିଥିଲେ। ବନ୍ୟା ମୁକାବିଲାରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେଡି ଲଗାତାର ନାରାବାଜି ଚଳାଇଥିଲା।ସେହିପରି କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରତିଦିନ ହଟ୍ଟଗୋଳ ଜାରି ରଖିଥିଲା। ତେଣୁ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ କୌଣସି ଦିନ ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇପାରିନଥିଲା।ଶୀତ ଅଧିବେଶନର ଚତୁର୍ଥ ଦିନରେ ଗୃହରେ ହଟ୍ଟଗୋଳ ଆଶଙ୍କା । ବନ୍ୟା ପରିଚାଳନା ପ୍ରସଙ୍ଗରେ ବିଜେଡି ଓ କୋଟିଆ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ । ଉଭୟ ଦଳ ସ୍ୱତନ୍ତ୍ର ଆଲୋଚନା ଦାବିରେ ମୋସନ୍ ଆଣିଛନ୍ତି । ସରକାର ଆଲୋଚନା ପାଇଁ ରାଜି ଥିବା କହୁଥିବା ବେଳେ, ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଗୃହ ସ୍ୱାଭାବିକ ହେବ କି ନାହିଁ, ତାକୁ ନେଇ ରହିଛି ଅନିଶ୍ଚିତତା ।ଆଜି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମ୍ପର୍କିତ ପ୍ରଶ୍ନ ଉଠିବ । ତେଣୁ ପ୍ରଶ୍ନୋତ୍ତର ସମୟରୁ ହିଁ ଗୃହ ସରଗରମ ରହିବା ସମ୍ଭାବନା ରହିଛି ।