ଆଉ ୩ ଦିନ ପରେ ବାଲିଯାତ୍ରା: ତଳ ଓ ଉପର ପଡିଆ ଜଳମଗ୍ନ

ବାତ୍ୟା ଅକ୍ୱାନ ପ୍ରଭାବରେ ବର୍ଷା ପରେ କଟକ ବାଲିଯାତ୍ରା ପଡ଼ିଆରେ ବେହାଲ୍ ସ୍ଥିତି। ଯୁଆଡ଼େ ଚାହିଁଲେ ସିଆଡ଼େ କାଦୁଅ ଆଉ ପାଣି। ଲଗାଣ ବର୍ଷା ଯୋଗୁଁ ତଳ ଓ ଉପର ପଡିଆରେ ଜମି ରହିଛି ପାଣି । ଫଳରେ ପ୍ଲଟ କିଣିଥିବା ବ୍ୟବସାୟୀ ଦୋକାନ ନିର୍ମାଣ କରିପାରୁ ନାହାନ୍ତି । ହାତରେ ଆଉ ମାତ୍ର ୩ ଦିନ ଥିବାରୁ ଚିନ୍ତା ବଢିଛି । । ଦୋକାନ ନିର୍ମାଣ ଓ ସାମଗ୍ରୀ ସଜାଡିବା ପାଇଁ ଏହା ଉପଯୁକ୍ତ ସମୟ ହୋଇଥିବା ବେଳେ ବର୍ଷା ଯୋଗୁଁ ବ୍ୟବସାୟୀମାନେ ହାତବାନ୍ଧି ବସିଛନ୍ତି । ଓଡିଶା ବାହାରୁ ଆସିଥିବା ବ୍ୟାବସାୟୀଙ୍କ ଅସୁବିଧା ଆହୁରି ବଢିଛି । କାଦୁଅ ଶୁଖିବା ସହ ଚଳାଚଳ ଉପଯୋଗୀ କରିବା ଏବେ ଆୟୋଜକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ବାଲିଯାତ୍ରା ଆରମ୍ଭ ପୂର୍ବରୁ ପଡ଼ିଆର ସ୍ଥିତି ସୁଧାରିବା ନେଇ ବଢ଼ିଛି ଚିନ୍ତା।ଆକଭାନ ପ୍ରଭାବରେ ଆହୁରି ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ପାଣି ନିଷ୍କାସନ ନେଇ ଚିନ୍ତା ବଢିଛି । ସେପଟେ ବର୍ଷା ଛାଡିବା ମାତ୍ରେ ସମସ୍ତ କାର୍ଯ୍ୟ ଆରମ୍ଭ ହେବ । ଠିକ ସମୟରେ ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି କଟକ ମେୟର । ତେବେ ବର୍ଷା ଥମିବା ପରେ କେତେ ଶୀଘ୍ର ପଡିଆରୁ ପାଣି ନିଷ୍କାସନ କରାଯାଇ ପ୍ରସ୍ତୁତି ଶେଷ ହୋଇଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।