ମୟୂରଭଞ୍ଜ ଓ ବାଲେଶ୍ୱରକୁ ଆଲର୍ଟ ଜାରି କରି ସତର୍କ ରହିବାକୁ ଅପିଲ୍ କଲେ ରାଜସ୍ୱ ମନ୍ତ୍ରୀ

ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଖାସ୍ କରି ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପଡିବ । ଆଜି ସନ୍ଧ୍ୟାରେ ଅବପାତ, ରାତି ସୁଦ୍ଧା ଲଘୁଚାପରେ ହେବ ପରିଣତ । କୌଣସି ସ୍ଥାନରେ ଗମ୍ଭୀର ସ୍ଥିତି ଉପୁଜିନି । କିଛି ସ୍ଥାନରେ ଭୂସ୍ଖଳନ ରିପୋର୍ଟ ଆସିଛି । ଅଗ୍ନିଶମ, NDRF, ଓଡ୍ରାଫ୍ ଟିମ୍ ତୁରନ୍ତ ସମସ୍ୟା ଦୂର କରିଛନ୍ତି । ୧୫ ରୁ ୨୦ଟି ସ୍ଥାନରେ ଗଛ, ଡାଳ ପଡିଥିଲା । ଖବର ମିଳିବା ମାତ୍ରେ ତୁରନ୍ତ ରାସ୍ତା ପରିଷ୍କାର କରାଯାଇଛି । ବାତ୍ୟା ପାଇଁ ୨୫୩ଟି ବ୍ଲକ/ପୌରାଞ୍ଚଳ ଚିହ୍ନଟ ହୋଇଥିଲା । ୨୦ ଜିଲ୍ଲାର ୬୨୦୧ଟି ସ୍ଥାନ ସବୁଠୁ ଅଧିକ ପ୍ରଭାବିତ ଭାବେ ଚିହ୍ନଟ କରାଯାଇଥିଲା । ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୩୦୨୮ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ କରାଯାଇଥିଲା । ବାତ୍ୟା ପରେ କ୍ଷୟକ୍ଷତିର ଆକଳନ କରାଯିବ । ରାଜ୍ୟର ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ଅନ୍ୟପଟେ ଝାଡ଼ଖଣ୍ଡରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶା ସରକାରଙ୍କ ଅଧିକାରୀମାନେ ଝାଡ଼ଖଣ୍ଡ ଜଳସେଚନ ବିଭାଗ ସହ ନିରନ୍ତର ସମ୍ପର୍କରେ ରହିଛନ୍ତି। ବର୍ତ୍ତମାନ ମହାନଦୀ, ବ୍ରାହ୍ମଣୀ, ଇବ୍, ସୁବର୍ଣ୍ଣରେଖା, ବଂଶଧାରା ଓ ଜଳକା ସମେତ ରାଜ୍ୟର ସମସ୍ତ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାଣିପାଗ ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ ଆକଳନ କରିଛନ୍ତି।