ରାଜ୍ୟବାସୀଙ୍କୁ ବଡ଼ ଆଶ୍ୱସ୍ତି: ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ
ଦକ୍ଷିଣ ଓଡ଼ିଶା ପାଇଁ ଆଶ୍ୱସ୍ତିର ଖବର । ବାତ୍ୟା ଅକଭାନ୍ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପରେ ବର୍ଷାର ପ୍ରକୋପ ଯଥେଷ୍ଟ କମିଛି । ଆଜି ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଅକଭାନ । ଗଂଜାମ ଜିଲ୍ଲାରେ ୧୧୪.୬ ମି.ମି, କେନ୍ଦ୍ରାପଡାରେ ୬୪.୬ ମିମି, ପୁରୀରେ ୬୧ .୧, ଜଗତସିଂହପୁରରେ ୫୧ .୩, ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯, ବାଲେଶ୍ୱରରେ ୪୩.୭ , କଟକରେ ୪୦.୪, ଯାଜପୁରରେ ୩୭.୫, ନୟାଗଡରେ ୩୩ .୮, କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ ୨୪.୪, ଗଜପତିରେ ୨୧.୯ ମି.ମି ବର୍ଷା ହୋଇଛି । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ବନ୍ୟା ଆଶଙ୍କାକୁ ନେଇ ଏକ ବଡ଼ ଆଶ୍ୱସ୍ତିକର ଖବର ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ବନ୍ୟା ସ୍ଥିତି ନାହିଁ ଏବଂ ଆଗକୁ ମଧ୍ୟ ବନ୍ୟା ହେବାର ସମ୍ଭାବନା ନଥିବା ସେ ସ୍ପଷ୍ଟ କରିଛନ୍ତି।