ମେଟା କାର୍ଯ୍ୟାଳୟରେ ଯୁବ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା

ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଟକଣାକୁ ନେଇ ତେଜିଲା ବିବାଦ। ଏହାର ପ୍ରତିବାଦରେ ତେଲେଙ୍ଗାନା ଯୁବ କଂଗ୍ରେସ କର୍ମୀମାନେ ହାଇଦ୍ରାବାଦସ୍ଥିତ ମେଟା କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି। କାର୍ଯ୍ୟାଳୟ ପରିସରରେ ଥିବା ଫୁଲକୁଣ୍ଡ ଭାଙ୍ଗିବା ସହ ଅଫିସ୍‌ ଭିତରେ ହୋହଲ୍ଲା କରିଥିଲେ ଆନ୍ଦୋଳନକାରୀ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।ସୂଚନା ମୁତାବକ, ମେଟା ପକ୍ଷରୁ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ଉଦୟ ଭାନୁ ଚିବ୍ ଏବଂ ଜାତୀୟ ପ୍ରଭାରୀ ମନୀଷ ଶର୍ମାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଉପରେ କଟକଣା ଲଗାଯାଇଥିଲା। ଏହାକୁ କେନ୍ଦ୍ର ସରକାରଙ୍କ ରାଜନୈତିକ ହସ୍ତକ୍ଷେପ ବୋଲି ଅଭିଯୋଗ କରି ଯୁବ କଂଗ୍ରେସ କର୍ମୀମାନେ ମେଟା ଏବଂ ବିଜେପି ବିରୋଧରେ ନାରାବାଜି କରିଥିଲେ।

ଅନ୍ୟପକ୍ଷରେ, ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ”ରେ ପୋଷ୍ଟ କରାଯାଇ ଆଗାମୀ ସାତ ଦିନ ମଧ୍ୟରେ ସମସ୍ତ ଆକାଉଣ୍ଟ ଓ ପୋଷ୍ଟ ଉପରୁ କଟକଣା ନହଟାଇଲେ ଅଦାଲତ, ରାଜରାସ୍ତା ଏବଂ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏହି ବିବାଦରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ମେଟାକୁ ସମାଲୋଚନା କରିଛନ୍ତି। ଏକ୍ସରେ ସେ ଲେଖିଛନ୍ତି ଯେ, ବିଦେଶୀ କମ୍ପାନୀଗୁଡ଼ିକ ଭାରତରେ ବ୍ୟବସାୟ କରନ୍ତୁ, ରାଜନୀତି ନୁହେଁ। ସମସ୍ତଙ୍କୁ ସମାନ ବ୍ୟବହାର କରିବା ଏକ ଭଲ କମ୍ପାନୀର ପରିଚୟ। ସରକାର ମଧ୍ୟ ବିଦେଶୀ କମ୍ପାନୀଙ୍କ ବ୍ୟବସାୟରେ ଅଯଥା ଚାପ ପକାଇ ରାଜନୀତି କରିବା ଉଚିତ୍‌ ନୁହେଁ।