ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ୍ଙ୍କ ବିଦେଶ ଗସ୍ତର ହେବ ତଦନ୍ତ
ବିଦେଶ ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶା ରାଜନୀତି । ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ପୂର୍ବ ସରକାରର କାର୍ଯ୍ୟକଳାପକୁ ନେଇ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଉଠୁଥିବା ବେଳେ ଏବେ ତଦନ୍ତ ପରିସରକୁ ଆସିଛି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ।ସୂଚନାଯୋଗ୍ୟ ଯେ, ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅବସରପ୍ରାପ୍ତ IAS ଅଧିକାରୀ ଏବଂ IPS ରବିକାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ବିଭିନ୍ନ RTI ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହ ଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି । ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟ ଗୁଡ଼ିକର ତାଳ-ମେଳ ରହୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହିସବୁ ଅଭିଯୋଗ ଦୃଷ୍ଟିରୁ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଏହି ତଦନ୍ତ କେବଳ ଅଭିଯୋଗରେ ସୀମିତ ରହିବ ନା ଗସ୍ତର ପ୍ରକୃତ ଉଦ୍ଦେଶ୍ୟ, ଖର୍ଚ୍ଚର ଉତ୍ସ, ବିଲ୍-ଭାଉଚର୍ ଏବଂ ଅନୁମୋଦନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆଣିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।