ବିହାରକୁ ନୀତୀଶ ସେତୁ ଭେଟି ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ନଭେମ୍ୱର ୨୦୨୬ରେ ବିହାରର ବୈଶାଳୀ ଜିଲାରେ ଗଙ୍ଗା ନଦୀ ଉପରେ ର୍ନିମିତ ନୂଆ ‘ନୀତୀଶ ସେତୁ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଗାମୁଛା ହଲାଇ ଲୋକମାନଙ୍କର ଅଭିବାଦନ ଗ୍ରହଣ କରିଥିଲେ। ଏହା ଏକ ୬ ଲେନ ବିଶିଷ୍ଟ ପୋଲ। ଏହି ପ୍ରକଳ୍ପ ଦ୍ୱାରା ଉତ୍ତର ଏବଂ ଦକ୍ଷିଣ ବିହାର ମଧ୍ୟରେ ସଡ଼କ ଯୋଗାଯୋଗ ଆହୁରି ଉନ୍ନତ ହେବାର ଆଶା କରାଯାଉଛି ଏବଂ ପାଟନା ଯାଉଥିବା ଯାତ୍ରୀମାନଙ୍କୁ ଏକ ବିକଳ୍ପ ରାସ୍ତା ମିଳିପାରିବ। ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମରେ ନାମିତ, ଏହି ୯.୭୬ କିଲୋମିଟର ଲମ୍ବା ସେତୁ ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଏହି ସେତୁ ୧୯.୭ କିଲୋମିଟର ଲମ୍ବା ସଡ଼କ ସଂଯୋଗ ପ୍ରକଳ୍ପର ଏକ ପ୍ରମୁଖ ଅଂଶ, ଯାହା ପାଟନା ଜିଲ୍ଲାର NH-୨୨ରେ ଥିବା କଚ୍ଚି ଦରଘାକୁ ବୈଶାଳୀର NH-୩୨୨ ରେ ଥିବା ବିଦୁପୁର ସହିତ ସଂଯୋଗ କରେ।‘ଏକ୍ସଟ୍ରାଡୋଜ୍ଡ କେବୁଲ-ଷ୍ଟେ’ (Extradosed Cable-Stay) ଜ୍ଞାନକୌଶଳରେ ର୍ନିମିତ ନୀତୀଶ ସେତୁ ଦ୍ୱାରା ମହାତ୍ମା ଗାନ୍ଧୀ ସେତୁ ଏବଂ ଜେପି ସେତୁ ଉପରେ ଟ୍ରାଫିକ ଚାପ କମିବାର ଆଶା ରହିଛି। ଏହି ନୂତନ ସଡ଼କ ଯୋଗାଯୋଗ ଦ୍ୱାରା କୃଷିଜାତ ଦ୍ରବ୍ୟ ଏବଂ ଶିଳ୍ପ ସାମଗ୍ରୀର ପରିବହନ ସହଜ ହେବ। ଉତ୍ତର ବିହାରର ଚାଷୀ ଏବଂ ବ୍ୟବସାୟୀମାନେ ଶୀଘ୍ର ବଜାରରେ ପହଞ୍ଚିପାରିବେ, ଯାହାଫଳରେ ଦୂରଗାମୀ ପରିବହନ ଜନିତ ସମସ୍ୟା ହ୍ରାସ ପାଇବ। ଏହାଦ୍ୱାରା ରାଜ୍ୟର ଅର୍ଥନୀତିରେ ବଡ଼ ଧରଣର ସୁଧାର ଆସିବାର ଆଶା କରାଯାଉଛି।