ଆସନ୍ତାକାଲିଠାରୁ ଆରମ୍ଭ ହେବ କ୍ଷୟକ୍ଷତି ଆକଳନ: ମନ୍ତ୍ରୀ
ବାତ୍ୟା ଚାଲିଗଲା, ଏବେ କ୍ଷୟକ୍ଷତିର ହିସାବ। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ ଆସନ୍ତାକାଲିଠାରୁ ଆରମ୍ଭ ହେବ।ବାତ୍ୟାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ନିୟମ ଅନୁସାରେ ଇନ୍ପୁଟ୍ ସବ୍ସିଡି ପ୍ରଦାନ କରାଯିବ। ଏଥିସହ ଯେଉଁ ଚାଷୀଙ୍କ ଧାନ ବର୍ଷାରେ ଓଦା ହୋଇଛି, ସେମାନଙ୍କୁ ମଧ୍ୟ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।ସେପଟେ ବାତ୍ୟା ପରେ ବନ୍ୟା ମୁକାବିଲା ନେଇ ମଧ୍ୟ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି ସରକାର। ବର୍ଷା ଓ ବନ୍ୟା ସମୟରେ ଯେପରି ଲୋକଙ୍କୁ ବାରମ୍ବାର ଜଳବନ୍ଦୀ ସମସ୍ୟାର ସାମ୍ନା କରିବାକୁ ନପଡ଼େ, ସେଥିପାଇଁ ସ୍ଥାୟୀ ପଦକ୍ଷେପ ଉପରେ ଗୁରୁତ୍ୱ ରହିବ। ଏହାସହ ବିଭିନ୍ନ ଅଞ୍ଚଳରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟୋଜିତ ଅଧିକାରୀମାନେ ଆସନ୍ତାକାଲିଠାରୁ ଫେରିବା ଆରମ୍ଭ କରିବେ। ପରିସ୍ଥିତି ସମୀକ୍ଷା ଏବଂ କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ଏହା ଗୁରୁତ୍ୱ ରଖିବ।