ଓଡ଼ିଶା ପୋଲିସରେ ପ୍ରଥମ ଥର ପାଇଁ ୩ ମହିଳା କନଷ୍ଟେବଳଙ୍କୁ ମିଳିଲା NSG କମାଣ୍ଡୋ ତାଲିମ
ଓଡ଼ିଶା ପୋଲିସ ପାଇଁ ଗର୍ବର ବିଷୟ। ପ୍ରଥମ ଥର ପାଇଁ ରାଜ୍ୟ ପୋଲିସ ବାହିନୀର ୩ ମହିଳା କନଷ୍ଟେବଳ ହୋଇଛନ୍ତି କମାଣ୍ଡୋ। ଏମାନେ ହେଉଛନ୍ତି ଢେଙ୍କାନାଳର ଅନିଷା ସିଂହ, ନବରଙ୍ଗପୁରର ରାମେଶ୍ୱରୀ ହାଲବା ଓ ବଲାଙ୍ଗିରର ପିଙ୍କି ସାହୁ। ଏମାନେ NSG ତାଲିମ କେନ୍ଦ୍ରରେ ଆୟୋଜିତ ପ୍ରଥମ ମହିଳା କମାଣ୍ଡୋ କନଭର୍ସନ କୋର୍ସ (MCCC)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ପୂର୍ବରୁ ଓଡ଼ିଶା ପୋଲିସର କୌଣସି ମହିଳା କନଷ୍ଟେବଳ ଏନ୍ଏସଜି କମାଣ୍ଡୋ ତାଲିମ ନେଇ ନଥିଲେ।।ଆତଙ୍କବାଦୀ କାର୍ଯ୍ୟକଳାପର କଡ଼ା ମୁକାବିଲା ଏବଂ ଯେକୌଣସି ସ୍ୱତନ୍ତ୍ର ଅପରେସନରେ ମହିଳା ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ଓଡ଼ିଶା ପୋଲିସ ଅଧୀନରେ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ‘ସ୍ପେଶାଲ ଟାକ୍ଟିକାଲ ୟୁନିଟ୍’ ବା STU କାର୍ଯ୍ୟ କରୁଛି। ଏହି ୟୁନିଟ୍କୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ଅଧିକ ସଂଖ୍ୟକ ମହିଳା କର୍ମଚାରୀଙ୍କୁ କମାଣ୍ଡୋ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି।