ନ୍ୟାୟ ଦାବିରେ ଶାଶୁଘର ସମ୍ମୁଖରେ ବୋହୂଙ୍କ ଧାରଣା

ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱର ରାସ୍ତାରେ ଏକ ଘଟଣା ଦେଖିବାକୁ ମିଳିଛି। ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା ଦୀର୍ଘ ୫ ବର୍ଷ ଧରି ଅଦାଲତରେ ବିଚାରାଧୀନ ଥିବା ବେଳେ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ଘରେ ପ୍ରବେଶ କରିବାକୁ ନପାଇ ଧାରଣାରେ ବସିଛନ୍ତି ବୋହୂ ସରିତା ବେହେରା।ସୂଚନା ଅନୁଯାୟୀ, ଦଶରଥପୁର ବ୍ଲକ କଟିକଟା ଅଞ୍ଚଳର ସରିତା ବେହେରାଙ୍କର ନିଜ ସ୍ୱାମୀଙ୍କ ସହ ଗତ ୫ ବର୍ଷ ଧରି ଅଦାଲତରେ ଛାଡ଼ପତ୍ର ମାମଲା ବିଚାରାଧୀନ ରହିଛି । ତେବେ ଗତକାଲି ଶ୍ୱଶୁରଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଆଜି ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ସରିତା ଶାଶୂଘରକୁ ଆସିଥିଲେ । ମାତ୍ର ଦେଢ଼ଶୁର ଓ ଯାଆ ତାଙ୍କୁ ଘର ଭିତରକୁ ପୂରାଇ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି ।

ଏପରିକି ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆଣି ନ୍ୟାୟ ଦାବିରେ ସେ ଘର ଆଗରେ ଧାରଣାରେ ବସିଛନ୍ତି। ଖବର ପାଇ ଯାଜପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଶାଶୁଘର ଲୋକଙ୍କ କହିବା କଥା ହେଲା ମାମଲା ବିଚାରାଧୀନ ଥିବାବେଳେ ଅଧିକ ଟଙ୍କା ଦାବି କରି ମହିଳା ଏଭଳି ପ୍ରହସନ କରୁଛନ୍ତି। ଗତକାଲି ଶ୍ୱଶୁରଙ୍କ ଦେହାନ୍ତ ହୋଇଛି, ଆଜି କସା ଖିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବା ପାଇଁ ଏଭଳି କରୁଥିବା ପାଲଟା ଅଭିଯୋଗ କରୁଛନ୍ତି ଶ୍ୱଶୁର ଘର ପରିବାର।