ହିଜାବ ବିନା କନସର୍ଟରେ ଗୀତ ଗାଇବା ଯୋଗୁଁ ଗାୟିକାଙ୍କୁ ୭୪ ଥର ଚାବୁକ୍ ମାଡ଼

ହିଜାବ ନ ପିନ୍ଧି ଗୀତ ଗାଇବାରୁ ଇରାନରେ ଗାୟିକାଙ୍କୁ କଠୋର ଦଣ୍ଡ। ଇରାନର ଲୋକପ୍ରିୟ ଗାୟିକା ପରାସ୍ତୁ ଅହମ୍ମଦିଙ୍କୁ ୭୪ ଥର ଚାବୁକ ମାଡ଼ ।ତାଙ୍କ ପ୍ରଯୋଜନା ଦଳର ଅନ୍ୟ ଚାରି ଜଣ ସଦସ୍ୟଙ୍କୁ ମଧ୍ୟ ସମାନ ଦଣ୍ଡ ଦିଆଯାଇଛି । ଏହି ପାଞ୍ଚ ଜଣଙ୍କୁ ଅଶ୍ଳୀଳ ଏବଂ ଅନୈତିକ ବିବେଚିତ ଅନଲାଇନ୍ ବିଷୟବସ୍ତୁ ସୃଷ୍ଟି ଏବଂ ପ୍ରକାଶନ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଇରାନୀ ନ୍ୟୁଜ୍ ୱେବସାଇଟ୍ ଏମ୍‌ତେଦାଦ୍‌ରେ ଆଇନଜୀବୀ ମୁସ୍ତାଫା ନିଲିଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ଅହମଦି ଏବଂ ତାଙ୍କ ଦଳର ଚାରି ଜଣ ସଦସ୍ୟଙ୍କୁ ଦୁଇ ବର୍ଷ ପାଇଁ କଳାତ୍ମକ ଏବଂ ସଂଗୀତ କାର୍ଯ୍ୟକଳାପରେ ସାମିଲ ହେବା ଏବଂ ବିଦେଶ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।୨୦୨୪ ଡିସେମ୍ବର ୧୧ ତାରିଖରେ ଏକ ଐତିହାସିକ ସ୍ଥଳରେ ହିଜାବ ନ ପିନ୍ଧି ସଙ୍ଗୀତ ପରିବେଷଣ କରିଥିଲେ ପରାସ୍ତୁ । କଳା ରଙ୍ଗର ସ୍ଲିଭ୍ ଲେସ୍ ପୋଷାକ ପିନ୍ଧି ପୁରୁଷ ସଙ୍ଗୀତଜ୍ଞଙ୍କ ସହ ଗୀତ ଗାଇଥିଲେ। ବିନା ଦର୍ଶକରେ ଆୟୋଜିତ ଏହି ସଙ୍ଗୀତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ୟୁଟ୍ୟୁବରେ କରାଯାଇଥିଲା । ଭିଡିଓଟି ବେଶ୍ ଭାଇରାଲ ହୋଇଥିଲା ।ଅନ୍ୟପଟେ ଏଭଳି ଦଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ। ଏହାକୁ ଅମାନବୀୟ ଦଣ୍ଡ ଓ ଅଭିବ୍ୟକ୍ତିର ସ୍ୱାଧୀନତାର ଉଲ୍ଲଂଘନ ବୋଲି ଦର୍ଶାଇଛି ଆମ୍ ନେଷ୍ଟି ଇଣ୍ଟରନ୍ୟାସନାଲ । ଏହି ଘଟଣା ପରେ ଇରାନରେ ମହିଳାଙ୍କ ସ୍ୱାଧୀନତା ଓ ବାଧ୍ୟତାମୂଳକ ହିଜାବ ନିୟମକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।ତେବେ ଇରାନ ଏହାର ମାନବାଧିକାର ରେକର୍ଡ ବିଷୟରେ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ପ୍ରଥମେ ସେମାନଙ୍କର ନିଜସ୍ୱ ମାନବାଧିକାର ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ୍।