ଆନ୍ଧ୍ର ନିର୍ବାଚନରେ କୋଟିଆରୁ ୫୮ ପ୍ରାର୍ଥୀ
କୋଟିଆର ଘରେ ଘରେ ପଶିବେ ସର୍ବଦଳୀୟ ନେତା ଓ ଓଡ଼ିଶାବାସୀ। ଆନ୍ଧ୍ର ନିର୍ବାଚନରେ ସାମିଲ ନହେବାକୁ ଦେବେ ପରାମର୍ଶ। ନମାନିଲେ କଟିବ କାର୍ଡ, ବାନ୍ଧିବ ପୋଲିସ। ଗୋଟିଏ ରାଜ୍ୟ, ଗୋଟିଏ ପରିଚୟ ରଖିବାକୁ ଚେତାବନୀ ଦେଇଛନ୍ତି ନେତା। ଅନ୍ୟପଟେ କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନୀ ତତ୍ପରତା ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ଡିସେମ୍ବର ୨ ତାରିଖରେ ହେବାକୁ ଥିବା ଆନ୍ଧ୍ର ନିର୍ବାଚନକୁ ନେଇ ଚାଲିଥିବା ନାମାଙ୍କନ ପ୍ରକ୍ରିୟାର ତୃତୀୟ ଦିନରେ ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଗଞ୍ଜେପଦରରୁ ଜଣେ, ଫଗୁଣସିନେରିରୁ ୨ ଜଣ ଏବଂ ଫାଟୁସିନେରିରୁ ଜଣେ ପ୍ରାର୍ଥୀ ନାମାଙ୍କନ କରିଛନ୍ତି। ତିନି ଦିନରେ ମୋଟ ୧୨ ଜଣ ସରପଞ୍ଚ ଓ ୪୬ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନାମାଙ୍କନ କରିଥିବା ସୂଚନା ମିଳିଛି।ତେବେ ନିର୍ବାଚନ ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସୀମାନ୍ତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆନ୍ଧ୍ରର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଓଡ଼ିଶା ନିଜର ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରୁଥିବା ବେଳେ, ଆସନ୍ତା ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ ଓଡ଼ିଶା ପକ୍ଷରୁ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।