ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍! ଶିକ୍ଷାର୍ଥୀଙ୍କ ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଛାତ୍ରୀଙ୍କୁ୨୪ ଘଣ୍ଟିଆ ସୁରକ୍ଷା ଦେବ ଶକ୍ତିଶ୍ରୀ ଆପ । ଆପକୁ ମୋବାଇଲରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପରେ ତଥ୍ୟ ଦେଇପାରିବେ ଛାତ୍ରୀ । ଏହି ଆପ୍‌କୁ ଶିକ୍ଷାର୍ଥୀମାନେ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏହି ଆପ୍‌ରେ ମାଧ୍ୟମରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ । ଏଥିରେ ଏସ୍‌ଓଏସ୍‌ ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍‌ ଇନ୍‌, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍‌ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି । ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ କିପରି ମୁକାବିଲା କରି ହେବ ତାକୁ ନେଇ ତାଲିମ ମଧ୍ୟ ଦିଆଯିବ । ଏଥିସହ ଛାତ୍ରୀ କିମ୍ବା ଛାତ୍ରମାନେ ଅସୁରକ୍ଷିତ ମଣୁଥିଲେ କିମ୍ବା କୌଣସି ସ୍ଥାନରେ ବିପଦରେ ପଡ଼ିଲେ ସଙ୍ଗେ ସଙ୍ଗେ ଲାଇଭ୍‌ ଲେକେସନ୍‌ ପଠାଇ ପାରିବାର ସୁବିଧା ମଧ୍ୟ ରହିଛି । ଜରୁରୀକାଳୀନ ଫୋନ୍‌ ସୁବିଧା ମଧ୍ୟ ରହିଛି । ପ୍ରତିଦିନ କିପରି ନିଜର ଦକ୍ଷତା ବୃଦ୍ଧି ହୋଇପାରିବ ଏହି ଆପ୍‌ରେ ମଧ୍ୟ ପ୍ରଶିକ୍ଷଣ ମିଳିପାରିବ ।