ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଟଙ୍କା ମାଗିବା ଅଭିଯୋଗରେ ଜଣଙ୍କୁ ଗିରଫ କଲା ମହିଳା ଥାନା ପୋଲିସ୍

ଲଭ୍, ସେକ୍ସ, ଧୋକା, ତାପରେ ଠକେଇ ଅଭିଯୋଗ । ଫସିଗଲେ ଓଡ଼ିଆ ଅଭିନେତା । ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ଧୋକ୍କା ଦେବା ସହ ତାଙ୍କଠାରୁ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ମହାକାଳପଡ଼ା ବଡ଼ମଠର ରଶ୍ମିକାନ୍ତ ଭୂୟାଁଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ ।ଅଭିନେତା ରଶ୍ମିକାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ। ସେ ବାଙ୍କୁଆରେ ରହୁଥିଲେ। ସିରିଏଲ୍ ଓ ରିଆଲିଟି ସୋ’ରେ କାମ କରନ୍ତି। ବଡ଼ଗଡ଼ ଥାନା ବିଜେବି ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ରଶ୍ମିକାନ୍ତଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହେଁ ଭୁବନେଶ୍ବରରେ ଏକାଠି ଲିଭ-ଇନରେ ରହୁଥିଲେ । ଅଭିଯୁକ୍ତ ପୀଡ଼ିତାଙ୍କ ଠାରୁ ଟଙ୍କା ନେଇ ଫିଲ୍ମ ତିଆରି କରିଥିଲା । ଫିଲ୍ମରେ ଅଭିଯୁକ୍ତ ନିଜେ ହିରୋ ହେବା ସହ ପୀଡ଼ିତାଙ୍କୁ ହିରୋଇନ୍ କରିଥିଲେ । କିନ୍ତୁ ଫିଲ୍ମ ଫ୍ଲପ ହେବାରୁ ପୀଡ଼ିତା ତାଙ୍କର ଟଙ୍କା ଦାବି କରିଥିଲେ । କିନ୍ତୁ ଅଭିଯୁକ୍ତ ଟଙ୍କା ଫେରାଇନଥିଲେ । ପୀଡ଼ିତା ବିବାହ କରିବା ପାଇଁ କହିବାରୁ ରଶ୍ମିକାନ୍ତ ମନାକରିଦେଇଥିଲେ । ଏହାପରେ ପୀଡ଼ିତା ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ୍ ତୁରନ୍ତ ମାମଲା ରୁଜୁ କରି ରଶ୍ମିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ଏସ୍ ଦଫା ୬୯ ଓ ୩୧୮ରେ ମାମଲା ରୁଜୁ ହୋଇଛି ।