ଦଧିବାମନ ଜୀଉ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଗଣିଆ -(ବିଶ୍ୱରଂଜନ ସେଠି )​ ଗଣିଆ ବ୍ଲକ ସ୍ଥିତ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଦେବଭାଷା ସଂସ୍କୃତର ପ୍ରଚାର, ପ୍ରସାର ଓ ଛାତ୍ରଛାତ୍ରୀମାନଙ୍କୁ ସଦାଚାର ଶିକ୍ଷା ଦେଇ ଆସିଥିବା ପ୍ରିୟ ତଥା ପୂଜ୍ୟ ସଂସ୍କୃତ ଶିକ୍ଷକ ବିଜୟ କୁମାର ମହାପାତ୍ରଙ୍କ ଅବସର ଗ୍ରହଣ ସମୟରେ ଏକ ଭାବପୂର୍ଣ୍ଣ ବିଦାୟ ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଏବିଓ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗ ଦେଇଥିବାବେଳେ ସାମ୍ନାନୀତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଁହୁଚରଣ ରାଉତ ବରିଷ୍ଠ ଶିକ୍ଷାବିତ ମହାଦେବ ମହାରଣା ବିଦାୟୀ ଶିକ୍ଷକ ବିଜୟ କୁମାର ମହାପାତ୍ର ମଞ୍ଚାସିନ ଥିବାବେଳେ ଶିକ୍ଷକ ଗୋଲଖ ବିହାରି ସାହୁ, ଶରତ କୁମାର ଜେନା, ସମୀର କୁମାର ମହାପାତ୍ର ଭି, ହିନ୍ଦୀ ଶିକ୍ଷକ, ବିଜ୍ଞାନ ଶିକ୍ଷୟତ୍ରୀ ମଞ୍ଜୁଲତା ବାରିକ, ଜଳଧର ପୃଷ୍ଟି, ଶଙ୍କର୍ଷଣ ସ୍ୱାଇଁ, ନବକିଶୋର ମହାରଣା , ବଲ୍ଳଭ ରାଉତ, ଚତୃଭୁଜ ସାହୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ , ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ଓ ସଭ୍ୟା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭାର ଆରମ୍ଭରେ ପୂଜ୍ୟ ଗୁରୁଜୀଙ୍କୁ ପୁଷ୍ପଗୁଚ୍ଛ ଓ ମାଲ୍ୟାର୍ପଣ ପୂର୍ବକ ମଞ୍ଚକୁ ସ୍ୱାଗତ କରାଯାଇଥିଲା। ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସୁନ୍ଦର ସଂସ୍କୃତ ସ୍ତୋତ୍ର ଗାନ କରାଯାଇ ପରିବେଶକୁ ଆଧ୍ୟାତ୍ମିକ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ କରାଯାଇଥିଲା ମଞ୍ଚାସିନ ଅତିଥି ଓ ପ୍ରଧାନଶିକ୍ଷକ ନିଜ ନିଜ ବକ୍ତବ୍ୟରେ ଅବସରପ୍ରାପ୍ତ ଶିକ୍ଷକଙ୍କ ସରଳ ଜୀବନଯାପନ, ଶୃଙ୍ଖଳିତ ଜୀବନଶୈଳୀ ଏବଂ ଜ୍ଞାନ ବିତରଣର ଶୈଳୀକୁ ପ୍ରଶଂସା କରିଥିଲେ। ସଂସ୍କୃତ ଭଳି ଏକ ଜଟିଳ ବିଷୟକୁ ସେ କିପରି ସହଜ କରି ପଢ଼ାଉଥିଲେ, ତାହା ସମସ୍ତେ ସ୍ମରଣ କରିଥିଲେ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଶ୍ରୁଳ ନୟନରେ ଗୁରୁଙ୍କ ସ୍ନେହ ଓ ଶାସନ ବିଷୟରେ କହିଥିଲେ। କେବଳ ପାଠ୍ୟପୁସ୍ତକ ନୁହେଁ, ବରଂ ଜୀବନର ସଠିକ୍ ମାର୍ଗ ଦେଖାଇବାରେ ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି ସେମାନେ ପ୍ରକାଶ କରିଥିଲେ। ବିଦ୍ୟାଳୟ ତରଫରୁ ସମ୍ମାନନୀୟ ଗୁରୁଜୀଙ୍କୁ ମାନପତ୍ର, ଉପଢୌକନ, ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଓ ଦଧିବାମନ ଜୀଉଙ୍କ ସ୍ମାରକୀ ପ୍ରଦାନ କରି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
“ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ଏହା ଏକ ସାଧନା। ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ମୋ ପାଇଁ ଏକ ମନ୍ଦିର ସଦୃଶ ଥିଲା। ମୁଁ ଶାରୀରିକ ଭାବେ ଅବସର ନେଉଛି ସତ, କିନ୍ତୁ ମୋର ଆଶୀର୍ବାଦ ଓ ଶୁଭେଚ୍ଛା ସଦାସର୍ବଦା ଏହି ଅନୁଷ୍ଠାନ ଓ ମୋର ପ୍ରିୟ ଛାତ୍ରଛାତ୍ରୀମାନଙ୍କ ସହିତ ରହିବ ବୋଲି ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି । ବିଦ୍ୟାଳୟର ସହକାରୀ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ପୂଜ୍ୟ ଗୁରୁଜୀଙ୍କ ଆଗାମୀ ନିରାମୟ ଓ ସୁଖମୟ ଅବସର ଜୀବନ କାମନା କରି ସଭା ସାଙ୍ଗ କରିଥିଲେ ।