ଭଙ୍ଗା ଆଙ୍ଗୁଠିରେ ଖେଳିଥିଲେ ଡାଇମଣ୍ଡ ଲିଗ ଫାଇନାଲ୍
ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍ ହୋଇଥିବା ନୀରଜ ଏହି ଖୁଲାସା କରିଛନ୍ତି। ରବିବାର ଏକ୍ସ’ରେ ଏକ ପୋଷ୍ଟ କରି ସେ ଏହା ସୂଚନା ଦେବା ସହିତ ଚଳିତ ବର୍ଷ ବିଭିନ୍ନ ପ୍ରତିଯୋଗିତା ସମୟରେ କିପରି ସେ ଆହତ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ତାହା କହିଛନ୍ତି।ଫାଇନାଲରେ ସେ ୮୭.୮୬ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଦ୍ୱିତୀୟରେ ରହିଥିଲେ।
ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୭.୮୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଡାଇମଣ୍ଡ ଲିଗ ଟ୍ରଫି କବଜା କରିଥିଲେ। ନୀରଜ ମାତ୍ର ଗୋଟିଏ ସେଣ୍ଟିମିଟର ପାଇଁ ଚାମ୍ପିୟନ ହୋଇ ପାରି ନଥିଲେ। ସେହିପରି ଜର୍ମାନୀର ଜୁଲିଆନ ୱେବର ୮୫.୯୭ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଛନ୍ତି।ତେବେ ବ୍ରୁସେଲ୍ ଡାଇମଣ୍ଡ ଲିଗ ସମୟରେ ଆହତ ହେବା ପରେ ନୀରଜ ତାଙ୍କର ପୋଷ୍ଟରେ ଲେଖିଛନ୍ତି, “ଯେହେତୁ ୨୦୨୪ ସିଜିନ୍ ସମାପ୍ତ ହେଉଛି, ମୁଁ ବର୍ଷସାରା ସମସ୍ୟାର ସାମ୍ନା କରିଛି, ତାହା ମୋତେ ଅନେକ ଶିକ୍ଷା ଦେଇଛି। ଯେପରିକି ପ୍ରଦର୍ଶନରେ ଉନ୍ନତି, ଅସୁବିଧା, ମାନସିକତା ଏବଂ ଅନ୍ୟାନ୍ୟ ବିଷୟରେ। ତେବେ ସୋମବାର ମୁଁ ଅଭ୍ୟାସରେ ଆହତ ହୋଇଛି ଏବଂ ଏକ୍ସ-ରେ କଲା ପରେ ଜଣ ପଡିଛି ଯେ, ମୋର ହାତ ଫ୍ରାକ୍ଚର ହୋଇଛି। ଏହା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା କିନ୍ତୁ ମୋ ଟିମ୍ ସାହାଯ୍ୟରେ ମୁଁ ବ୍ରୁସେଲ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେଲି ବୋଲି ଚୋପ୍ରା ଲେଖିଛନ୍ତି।