ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା
ଲକ୍ଷାଧିକ ଭକ୍ତଙ୍କୁ ଛାଡ଼ି ବିଧିବିଧାନକୁ ମହତ୍ତ୍ୱ ଦେଇ ମହାପ୍ରଭୁ ବାହୁଡ଼ିଗଲେ । ନୀଳାଚଳରେ ବିଜେ କଲେ ନୀଳାଦ୍ରିନାଥ । ଆର ବର୍ଷକୁ ଅପେକ୍ଷା କରି ବଡ଼ଦାଣ୍ଡରେ ରହିଗଲେ ତାଙ୍କର ଅସଂଖ୍ୟ ଭକ୍ତ । ୧୨ ଦିନ ଧରି ଶ୍ରୀକ୍ଷେତ୍ରରେ ଚାଲିଥିବା କାଳିଆ ସାଆନ୍ତଙ୍କ ଦିବ୍ୟଲୀଳା ସରିଲା ।ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା । ଭକ୍ତ ଏବଂ ଶ୍ରଦ୍ଧାଳୁ ପାଇବେ ମହାପ୍ରସାଦ । ସେହିପରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜି ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ । ରଥଯାତ୍ରା ପୂର୍ବରୁ ଯେଉଁଭଳି ଭାବେ ଭକ୍ତମାନେ ମହାପ୍ରସାଦ ପାଇଥିଲେ । ଠିକ୍ ସେହିଭଳି ଭାବରେ ମହାପ୍ରସାଦ ଶ୍ରୀମନ୍ଦିର ପରିସରରେ ପାଇପାରିବେ । ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥିବା ପ୍ରଥମ ନୀଳାଚଳ ଅବଢାକୁ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।ପ୍ରଥମ ଦିନରେ ପ୍ରାୟ ଲକ୍ଷେ ଭକ୍ତଙ୍କ ପାଇଁ ଅବଢ଼ା ତିଆରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ନୀଳାଦ୍ରି ବିଜେର ଶ୍ରୀଜିଉଙ୍କ ନୀତିକାନ୍ତିରେ କିଛିଟା ସମୟ ବ୍ୟବଧାନ ହେଉଥିବାରୁ, ଆଜି ନୀଳାଚଳ ଅବଢ଼ା ବାହାରିବାରେ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।