CMOରୁ ଫାଇଲ୍ ହଜିବା ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ କେମିତି ହଜିଲା ଫାଇଲ୍ ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଗାଏବ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି ।ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ସୋମବାର) କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି । କ୍ରାଇମବ୍ରାଞ୍ଚ ଏନେଇ ମାମଲା ରୁଜୁ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ନାଇଡୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ RDC ଇନକ୍ବାରୀ ରିପୋର୍ଟ ହଜିବା ଘଟଣାରେ କମିଶନରେଟ୍ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣାକୁ କେନ୍ଦ୍ର କରି ଜୁନ ୧୦ ତାରିଖରେ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାର୍ଣ୍ଡି ଲିଖିତ ଅଭିଯୋଗ କରିଥିଲେ । କ୍ୟାପିଟାଲ ଥାନା ପକ୍ଷରୁ ଏହାକୁ ଆଧାର କରି ଭାରତୀୟ ନ୍ୟାୟ ସଂହିତା (BMS) ଦଫା ୩୦୫, ୩୧୬(୨), ୩୩୮(C), ୨୪୧, ୬୧(୨)(ବି)ରେ ମାମଲା (ନଂ.୪୬୦/୨୦୨୬) ରୁଜୁ କରାଯାଇଥିଲା । କ୍ୟାପିଟାଲ ଥାନା ପୋଲିସ ବିଭିନ୍ନ ବ୍ୟକ୍ତିଙ୍କୁ ନୋଟିସ୍ କରିବା ସହ ତଦନ୍ତ ଜାରି ରଖିଛି ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ, ମନୋଜ ମିଶ୍ର, ରାଜେଶ ବର୍ମା, ଉପେନ୍ଦ୍ର ବେହେରା ଆଦି ୪ ଜଣ ପୂର୍ବତନ ପ୍ରଶାସକଙ୍କୁ ନୋଟିସ୍ ହୋଇଛି । ମନୋଜ ମିଶ୍ରଙ୍କୁ ବାଦ୍ ଦେଲେ ଅନ୍ୟ ୩ ପୂର୍ବତନ ପ୍ରଶାସକ ଏଯାଏ ହାଜର ହୋଇ ସେମାନଙ୍କ ପକ୍ଷ ରଖି ନାହାନ୍ତି ।