ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’

ଆଜି ନୀଳାଦ୍ରୀ ବିଜେ। ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି । ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କାଳିଆସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା । ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ । ପ୍ରବେଶ କିମ୍ବା ଆସନ ଗ୍ରହଣ କରିବା ।

ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଏହି ପର୍ବ ଶ୍ରୀଜିଉମାନଙ୍କର ମାନବୀୟ ଲୀଳାର ଏକ ଚିତ୍ତାକର୍ଷକ ପ୍ରତୀକ । ରଥଯାତ୍ରା ଆରମ୍ଭରେ ହେଉଥିବା ‘ଧାଡ଼ି ପହଣ୍ଡି’ ନୀଳାଦ୍ରି ବିଜେର ପହଣ୍ଡି ସମ୍ପୂର୍ଣ୍ଣ ଭିନ୍ନ। ନୀଳାଦ୍ରି ବିଜେରେ ‘ଗୋଟି ପହଣ୍ଡି’ ନୀତି ଅନୁଷ୍ଠିତ ହୋଇଥାଏ । ଜଣେ ଦେବତା ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ଭିତରକୁ ବିଜେ କରିସାରିବା ପରେ ହିଁ ଅନ୍ୟ ଜଣଙ୍କର ପହଣ୍ଡି ଆରମ୍ଭ ହୁଏ । ସର୍ବପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ ସିଂହାସନକୁ ନିଆଯାଏ । ତାଙ୍କ ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଗାମ୍ଭୀର୍ଯ୍ୟମୟ ଚାଲିରେ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି । ତାଙ୍କ ପଛକୁ ସ୍ନେହମୟୀ ଭଗିନୀ ଦେବୀ ସୁଭଦ୍ରା ବିଜେ କରନ୍ତି । ଶେଷରେ କାଳିଆ ସାଆନ୍ତ, ଜଗତର ନାଥ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ପହଣ୍ଡି ସମୟରେ ସମ୍ପନ୍ନ ହେବ ନୀଳାଦ୍ରି ବିଜେର ବିଶେଷ ପର୍ବ ‘ଲକ୍ଷ୍ମୀ-ନାରାୟଣ କଳି’ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ । ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳା ଦେଖି ଧନ୍ୟ ହେବେ ହଜାର ହଜାର ଭକ୍ତ ।