ଆଜି ଆଷାଢ଼ ଶୁକ୍ଳ ଏକାଦଶୀ, ମହାପ୍ରଭୁଙ୍କ ସୁନାବେଶ

ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀଗୁଣ୍ଡିଚା ମନ୍ଦିରରୁ ମେଲାଣି ନେଇଛନ୍ତି ଚତୁର୍ଦ୍ଧା ବିଗ୍ରହ । ରଥାରୂଢ଼ ହୋଇ ରତ୍ନବେଦୀକୁ ବାହୁଡ଼ିଛନ୍ତି ଦାରୁବ୍ରହ୍ମ ଠାକୁର । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ତାଳଦ୍ବଜ । ଆଜି ଆଷାଢ଼ ଶୁକ୍ଳ ଏକାଦଶୀ, ମହାପ୍ରଭୁଙ୍କ ସୁନାବେଶ । ଏହାକୁ ବଡ଼ତଢ଼ାଉ ବେଶ ଓ ରାଜବେଶ ବୋଲି ମଧ୍ୟ କୁହାଯାଏ । ରଥ ଉପରେ ମହଣ ମହଣ ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ, ଅପରାହ୍ନ 5ଟାରୁ 6.30 ମଧ୍ୟରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତି 10ରୁ 11ଟା ମଧ୍ୟରେ ସୁନାବେଶ ମଇଲମ କରାଯିବ ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ 6 ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁନାବେଶ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ସୁନାବେଶ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ବେଶ । ଏଥିରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସାଜ କରାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ତେବେ ଏହା ମଧ୍ୟରୁ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ବାହୁଡ଼ା ଯାତ୍ରାର ପର ଦିନ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀଦିନ ଦିନ ସିଂହଦ୍ୱାର ସମ୍ମୁଖରେ ଥିବା ତିନିରଥ ଉପରେ ଶ୍ରୀଜୀଉମାନେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।