ସୁପ୍ରିମକୋର୍ଟରେ ଡିଜିପି ମାମଲା, ଅସମାପ୍ତ ରହିଲା ଆଜିର ଶୁଣାଣି। ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ

ଓଡ଼ିଶା ଡିଜିପି ନିୟୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ଶୁଣାଣି ଅସମାପ୍ତ ।  ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ । ଆଜି ଶୁଣାଣି ସମୟରେ ବିଭିନ୍ନ ପ୍ରକ୍ରିୟାଗତ ପ୍ରସଙ୍ଗ ଉପରେ ତୀବ୍ର ଯୁକ୍ତିତର୍କ ହୋଇଛି । ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ‘ଜୋନ୍‌ ଅଫ୍‌ କନ୍‌ସିଡରେସନ୍‌’ରୁ ବାଦ୍‌ ଦିଆଯିବା, ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍‌ ଏବଂ ଅନ୍ୟ କେତେକ ଅଧିକାରୀଙ୍କ ପଦୋନ୍ନତି ପରେ ଚୟନ ତାଲିକାରେ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।ଆଜି ଶୁଣାଣି ବେଳେ ଜନସ୍ବାର୍ଥ ମାମଲା ଦାଖଲ କରିଥିବା ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ନିଜ ଯୁକ୍ତି ରଖି କହିଥିଲେ । ସେ କହିଥିଲେ ଯେ, ଯଦି ଆପଣ DGP ତାଲିକାର ଟାଇମ୍ ଲାଇନ୍ ଦେଖିବେ ତାହେଲେ ଏଥିରେ ଅନିୟମିତତା ଦର୍ଶାଉଛି । ଯାହା ପ୍ରକାଶ ସିଂ ମାମଲାର ବିରୋଧାଭାସ । ଓଡ଼ିଶା ତରଫରୁ ସଲିସିଟର ଜେନେରାଲ ଏହାକୁ ଖଣ୍ଡନ କରି କହିଥିଲେ ଯେ, DGP ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ ।ଅନ୍ୟପଟେ ଏଥିରେ ହସ୍ତକ୍ଷେପ କରି IPS ସୁଶାନ୍ତ ନାଥଙ୍କ ଓକିଲ ନିଜ ଯୁକ୍ତିରେ ପ୍ରଶ୍ନ କରିଥିଲେ ଯେ, ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ଖାରଜ କରାଯିବାର କାରଣ କ’ଣ ଏବଂ କାହିଁକି ଏପରି କରାଗଲା ? ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ପାଖାପାଖି ୨୫ ମିନିଟ୍ ଧରି ସବୁ ପକ୍ଷଙ୍କୁ ଶୁଣିଥିଲେ । ଯେହେତୁ ଆଜି ଅନ୍ୟ ମାମଲାରେ ଡିଭିଜନ ବେଞ୍ଚ୍ ବସିବାର ଥିଲା । ତେଣୁ କୋର୍ଟ ଆସନ୍ତା କାଲି ମୌଖିକ ଭାବେ ମାମଲାର ଶୁଣାଣି କରିବେ ।