ଅବପାତର ରୂପ ନେଲା ଗଭୀର ଅବପାତ, ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସକ୍ରିୟ ଅବପାତ ଆହୁରି ଘନୀଭୂତ ହୋଇଛି। ଆଜି ସନ୍ଧ୍ୟା ସମୟରେ ଏହା ‘ଗଭୀର ଅବପାତ (Deep Depression)ରେ ପରିଣତ ହୋଇଛି। ଏହି ସାମୁଦ୍ରିକ ଝଡ଼ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଦ୍ରୁତ ଗତି କରି ଆସନ୍ତା ୨୩ ତାରିଖ ରାତିରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ବିଶେଷ କରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟବର୍ତ୍ତୀ କୌଣସି ଏକ ସ୍ଥାନରେ ଏହା ସ୍ଥଳଭାଗ ଛୁଇଁବାର ଦୃଢ଼ ସମ୍ଭାବନା ରହିଛି ।ଆସନ୍ତାକାଲି ଓ ପହରଦିନ ପ୍ରବଳ ବର୍ଷିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ୭ଟି ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି।।ଏବେ ନଜର ରହିଛି ଏହି ଗଭୀର ଅବପାତର ପରବର୍ତ୍ତୀ ଗତିପଥ ଉପରେ। ଏହା କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ ଏବଂ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କେତେ ପ୍ରଭାବ ପକାଇବ, ସେନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଉଛି।