ଦୁର୍ଲ୍ଲଭ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ଶ୍ରୀହସ୍ତ, ସୁବର୍ଣ୍ଣ ଶ୍ରୀପୟର । ଶଙ୍ଖ, ଚକ୍ର, ଗଦା। ଅଙ୍ଗେ ଅଙ୍ଗେ ଅପାର ଐଶ୍ୱର୍ଯ୍ୟ। ରଥ ଉପରେ ହୋଇଛି ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ରଥ ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସୁନାବେଶ ଅବସରରେ ବଡ଼ଦାଣ୍ଡରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବ୍ୟବସ୍ଥିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା, ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୩ହଜାର ପୁଲିସ ଫୋର୍ସ, ୨୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ପ୍ରାୟ ୨ହଜାର ପୁଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ୨୩ ଆଇପିଏସ୍‌‌ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ଦାୟିତ୍ୱ ଦିଆଯାଇଛି।ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେଇଥିବା ବେଳେ ଏହା ରାତି ୧୧ଟା ପର୍ଯ୍ୟନ୍ତ ଜାରି ରହିବ ।