ସୁନାବେଶ ଓ ଅଧରପଣା ଅବସରରେ ସ୍ୱତନ୍ତ୍ର ଟ୍ରେନ
ପୁରୀକୁ ଏବଂ ପୁରୀରୁ ଚଳାଚଳ କରୁଥିବା ନିୟମିତ ଟ୍ରେନ ସେବା ସହିତ ସୁନାବେଶ ଓ ଅଧରପଣା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବ ପୂର୍ବତଟ ରେଳପଥ। ଉତ୍ସବ ସମୟରେ ପୁରୀ ଆସୁଥିବା ଭକ୍ତମାନଙ୍କୁ ସୁବିଧାଜନକ ରେଳ ସଂଯୋଗ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ସେବାର ଯୋଜନା କରାଯାଇଛି।ସୁନାବେଶ ଅବସରରେ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା ରୋଡ୍, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖୋର୍ଦ୍ଧା ରୋଡ୍ ଓ ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।ସେହିପରି ପୁରୀରୁ ତାଳଚେର, ବାଦାମପାହାଡ଼, ଢେଙ୍କାନାଳ, ବାଙ୍ଗିରିପୋଷି, ରାୟଗଡ଼ା, ଭଦ୍ରକ, ଅନୁଗୁଳ, ଗୁଣୁପୁର, ରାଉରକେଲା, ଦଶପଲ୍ଲା, ସମ୍ବଲପୁର, ପଲାସା, ବିଶାଖାପାଟଣା ଓ ଶାଲିମାର ଅଭିମୁଖେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।ଅଧରପଣା ଅବସରରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର, ଦଶପଲ୍ଲା, ଅନୁଗୁଳ, କେନ୍ଦୁଝରଗଡ଼, ପାରାଦୀପ, ଭଦ୍ରକ ଓ ଖୋର୍ଦ୍ଧା ରୋଡରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ।
ଏହାସହ ପୁରୀରୁ ତାଳଚେର, ଢେଙ୍କାନାଳ, ବାଙ୍ଗିରିପୋଷି, ଭଦ୍ରକ, ଅନୁଗୁଳ, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, କେନ୍ଦୁଝରଗଡ଼ ଓ ପାରାଦୀପ ଅଭିମୁଖେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସେବା ଉପଲବ୍ଧ ହେବ।