ବହି ତ୍ରୁଟିକୁ ନେଇ ବଡ଼ ଅପଡେଟ୍ ; ଅକ୍ଟୋବର ମାସ ସୁଦ୍ଧା ପୁସ୍ତକ ସଂଶୋଧନ ପ୍ରକ୍ରିୟା ଶେଷ ହେବ
ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ସାମ୍ନାକୁ ଆସିବା ପରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି । ପ୍ରଥମେ ଦକ୍ଷ ବିଶେଷଜ୍ଞମାନଙ୍କୁ ଚୟନ କରାଯାଇ କର୍ମଶାଳା ସରିଛି । ଏବେ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେଥିଲାଗି ଟେଣ୍ଡର ଡାକିଛି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି) । ପୁଣି ଘରୋଇ ଫାର୍ମ ତଥା ପ୍ରିଣ୍ଟିଂ ପ୍ରେସ୍କୁ ଏହି ସଂଶୋଧନ ଦାୟିତ୍ୱ ଦିଆଯିବ । ଟେଣ୍ଡର ପାଇବାର ଏକମାସ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ଅର୍ଥାତ୍ ସେପ୍ଟେମ୍ବରରୁ ଅକ୍ଟୋବର ମାସ ସୁଦ୍ଧା ପୁସ୍ତକ ସଂଶୋଧନ ପ୍ରକ୍ରିୟା ଶେଷ ହେବ । ପରେ ପ୍ରିଣ୍ଟିଂ ପାଇଁ ପ୍ରେସ୍କୁ ଯିବ ବୋଲି ସୂଚନା ରହିଛି ।୨୬ ତାରିଖରେ ଟେଣ୍ଡର ଆବେଦନର ଶେଷ ତାରିଖ ରହିଛି । ୨୭ ତାରିଖରେ ଆବେଦନ କରିଥିବା ବିଡର୍ଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯିବ । ବିଡ୍ ଖୋଲିବା ତାରିଖଠୁ ଏହାର ବୈଧତା ୭ ଦିନ ରହିବ । ଯେଉଁ ବିଡର୍ ଏହି ବହି ସଂଶୋଧନର କାର୍ଯ୍ୟ ପାଇବେ ସେମାନଙ୍କୁ କାର୍ଯ୍ୟ ଆବଣ୍ଟନର ୧ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବେ ।ଟେଣ୍ଡର ପାଇଥିବା ଘରୋଇ ଫାର୍ମ ପ୍ରଥମେ ଏସ୍ସିଇଆର୍ଟିର କରିକୁଲମ୍ ବିଭାଗର ଅଧିକାରୀଙ୍କଠାରୁ ସଂଶୋଧନ, ପାଣ୍ଡୁଲିପି ପ୍ରସ୍ତୁତି ପାଇଁ ପାଠ୍ୟପୁସ୍ତକ କିମ୍ବା ଏହାର ସଫ୍ଟକପି ସଂଗ୍ରହ କରିବେ । ଏସ୍ସିଇଆର୍ଟି ଓ ଉକ୍ତ ଫାର୍ମ ମଧ୍ୟରେ ଏକ ଚୁକ୍ତି ହବେ । ଏହାର ୧୫ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ଏହାର ୭ଦିନ ମଧ୍ୟରେ ଟେଣ୍ଡର ପାଇଥିବା ଫାର୍ମ ସଂଶୋଧିତ ପାଣ୍ଡୁଲିପିକୁ ସମୀକ୍ଷା ପାଇଁ ବିଶେଷଜ୍ଞଙ୍କ ସମୀକ୍ଷା ପାଇଁ ୭ଦିନ ମଧ୍ୟରେ ପ୍ରଥମ ସଂଶୋଧିତ ଡ୍ରାଫ୍ଟ ଦାଖଲ କରିବେ । ପୁଣି ସମୀକ୍ଷା ସରିବା ପରେ ଆବଶ୍ୟକ ସଂଶୋଧନ ପାଇଁ ଏସ୍ସିଇଆର୍ଟିରୁ ପୁଣି ସଂଶୋଧିତ ଡ୍ରାଫ୍ଟ ବହି ସଂଗ୍ରହ କରାଯିବ ।ସୁପାରିସ କରାଯାଇଥିବା ପରିବର୍ତ୍ତନ କଣ୍ଟେଣ୍ଟକୁ ସଂଶୋଧନ କରାଯିବ । ଏହାକୁ ଚୂଡ଼ାନ୍ତ ଡ୍ରାଫ୍ଟ କରାଯିବ । ପରେ ଏହାକୁ ସଫ୍ଟକପି, ରଙ୍ଗୀନ ହାର୍ଡ କପିକୁ ଏସ୍ସିଇଆର୍ଟିରେ ଦାଖଲ କରିବେ ଫାର୍ମ । ଏହାକୁ ମଧ୍ୟ ପୁନଃ ସମୀକ୍ଷା କରାଯିବ । ଯଦି ଏଥିରେ କୌଣସି ତ୍ରୁଟି ଦେଖାଯାଏ, ପୁଣି ସଂଶୋଧନ କରାଯିବ । ବାରମ୍ବାର ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା ହୋଇ ସଂଶୋଧନ ହେବ, ଶେଷକୁ ଚୂଡ଼ାନ୍ତ ସଂଶୋଧିତ ପୁସ୍ତିକା ପ୍ରସ୍ତୁତ ହେବ । ଏହି ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ଏସ୍ସିଇଆର୍ଟିର କରିକୁଲମ୍ ଡେଭେଲପ୍ମେଣ୍ଟ ସେଲ୍କୁ ଦାୟିତ୍ୱ ଦିଆଯାଇଛି ।