IHC ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ।ତେବେ ଆବୁଧାବି ସ୍ଥିତ IHC ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ , ଗୃହ, ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ଅଛନ୍ତି । IHC ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ IRHର CEO ଅଲି ଅଲ୍ରାଶଦି, IHCର CEO ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୟଦ ବସର ଶୁଏବ, IHCର ମୁଖ୍ୟ ରଣନୀତିକ ଏବଂ ଅଭିବୃଦ୍ଧି ଅଧିକାରୀ ପିଟର ଅବ୍ରାମ ଏବଂ 2ପଏଣ୍ଟଜିରୋ ଗ୍ରୁପ୍ ର CEO ସାମିଆ ବୁଆଜା ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ ଆରବୀୟ ଲୋକନୃତ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଏଭଳି ଭବ୍ୟ ଓ ପାରମ୍ପରିକ ସ୍ୱାଗତକୁ ମୁଖ୍ୟମନ୍ତ୍ରୀ ଖୁବ୍ ପ୍ରଶଂସା କରିଥିଲେ ।ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ପ୍ରତିନିଧିମଣ୍ଡଳୀ ଦୁବାଇସ୍ଥିତ ଭାରତୀୟ କନସଲ ଜେନେରାଲ ସହ ବୈଠକ କରିବେ। ଓଡ଼ିଶା-ୟୁଏଇ ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ପ୍ରତିଷ୍ଠାନଗତ ଓ ସମୁଦାୟସ୍ତରୀୟ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା ହେବ।