ନେପାଳରେ ପରିସ୍ଥିତି ଅଣାୟତ୍ତ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ, ଭାରତ-ନେପାଳ ସୀମାରେ ହାଇ ଆଲର୍ଟ
ନେପାଳରେ ସୋସିଆଲ ମିଡିଆ ଆପ୍ ବନ୍ଦ ହେବା ପରେ ଜେନ-ଜି ପିଢି ଭୟଙ୍କର ବିକ୍ଷୋଭ କରୁଛନ୍ତି । ଫଳରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି ।ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନମିଳିବାରୁ ବିମାନ ଫେରିଆସିଛି । ଏହାସହ ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡାଣ ମଧ୍ୟ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ କରାଯାଇଛି । ତେବେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ। ଓଲିଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପରେ ଦେଶର ନୂଆ ନେତା ଚୟନ ଦିଗରେ ପଦକ୍ଷେପ ନିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି।
ଅନ୍ୟପଟେ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିବା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀ ଦେଶ ଛାଡ଼ିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଏପରି କି ପ୍ରଧାନମନ୍ତ୍ରୀ ଓଲି ସେନା ହେଲିକପ୍ଟର ଜରିଆରେ ଦେଶ ଛାଡ଼ି ଦୁବାଇ ବାହାରି ଯାଇଥିବା ଜଣାପଡ଼ିଛି।
