ଦିଲ୍ଲୀରେ କାର୍ ଦୁର୍ଘଟଣାରେ ଅର୍ଥ ବିଭାଗର ଉପସଚିବଙ୍କ ମୃତ୍ୟୁ !ମୁଖ୍ୟ ଅଭିଯୁକ୍ତ ଗିରଫ

ସଡ଼କ ଦୁର୍ଘଟଣାରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରର ଉପସଚିବ ନବଜୋତ ସିଂହଙ୍କ ମୃତ୍ୟୁ । ଦିଲ୍ଲୀର ଧୌଲା କୁଆଁ ଅଞ୍ଚଳର ରିଙ୍ଗ ରୋଡରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗଗନପ୍ରୀତ ମକ୍କଡକୁ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରିବା ପରେ ଜାଣିବାକୁ ପାଇଛି କି, କାର୍ ନବଜୋତଙ୍କୁ ଧକ୍କା ଦେବା ପରେ କିଛି ସମୟ ଯାଏଁ ସେ ଜୀବିତ ରହିଥିଲେ ।ସୂଚନା ଅନୁସାରେ, ଅର୍ଥ ମନ୍ତ୍ରାଳୟରର ଉପସଚିବ ନବଜୋତ ସିଂହ ତାଙ୍କ ପତ୍ନୀଙ୍କ ସହିତ ଏକ ବାଇକରେ ବଙ୍ଗଳା ସାହିବ ଗୁରୁଦ୍ୱାରରୁ ହରି ନଗରସ୍ଥିତ ଘରକୁ ଫେରୁଥିଲେ ।

ଧୌଲା କୁଆଁ ନିକଟରେ ତାଙ୍କ ବାଇକକୁ ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲୁ କାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକଟି ଡିଭାଇଡରରେ ପିଟି ହୋଇ ବାମପାର୍ଶ୍ୱରେ ଯାଉଥିବା ଏକ ବସ୍ ସହିତ ଧକ୍କା ହୋଇଥିଲା । ନବଜୋତ ଏବଂ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ତୁରନ୍ତ ଜିଟିବି ନଗରର ନ୍ୟୁଲାଇଫ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ନବଜୋତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି ।ମୃତ ନବଜୋତଙ୍କ ଗୁରୁତର ପତ୍ନୀ ସନ୍ଦୀପ କୌର ପୋଲିସକୁ ସୂଚନା ଦେଇଛନ୍ତି କି, ଦୁର୍ଘଟଣାର ତୁରନ୍ତ ପରେ ବାରମ୍ବାର ନିକଟସ୍ଥ ହସପିଟାଲକୁ ନେବାକୁ ଗୁହାରି କରିଥିଲେ । କିନ୍ତୁ କାର୍ ଭିତରେ ଥିବା ଲୋକମାନେ ତାଙ୍କୁ ୧୯ କିମି ଦୂର ଏକ ହସପିଟାଲକୁ ନେଇଯାଇଥିଲେ । ସନ୍ଦୀପଙ୍କ ବୟାନ ପରେ ପୋଲିସ ଗଗନପ୍ରୀତଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ଅନ୍ୟ ସାକ୍ଷୀ ଅଟୋ ଚାଳକ ଗୁଲଫାମଙ୍କ ଘରକୁ ଯାଇ ବୟାନ ଗ୍ରହଣ କରିଛି । ପୋଲିସ ଏହି ମାମଲାରେ ବିଏନଏସ ଧାରା ଅନୁଯାୟୀ, ୨୮୧, ୧୨୫, ୧୦୫ ଏବଂ ୨୩୮ ଧାରା ଦାୟର ହୋଇଛି ।