ସୁପ୍ରିମକୋର୍ଟରେ ହାଇଡ୍ରାମା;କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ

ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ। ଏହା କେବଳ ଆଇନର ଏକ ମନ୍ଦିର ନୁହେଁ, ବରଂ ଗଣତନ୍ତ୍ରରେ ନ୍ୟାୟ ପାଇଁ ସବୁଠାରୁ ବଡ଼ ଭରସା। ହେଲେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟର ସବୁ ଗାରିମାର ଖୋଲାଖୋଲି ଉଲ୍ଲଂଘନ ହୋଇଛି। ଜଣେ ଆବେଦନକାରୀ ନିଜ ମାମଲାକୁ ନେଇ କୋର୍ଟର ଦ୍ବାରସ୍ତ ହୋଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିବା ବେଳେ କିଛି ଅରୁଚିକର ସ୍ଥିତି ଘଟିଥିଲା। ଆବେଦନକାରୀ କୋର୍ଟର ସମସ୍ତ ମର୍ଯ୍ୟାଦା ଉଲ୍ଲଂଘନ କରିଛନ୍ତି। ନା ସେ କୋର୍ଟର ଅନୁଶାସନକୁ ଖାତିର କଲେ, ନା ବିଚାରପତିଙ୍କ ଆସନକୁ ସମ୍ମାନ ଦେଲେ। କୋର୍ଟରୁମ୍ ଭିତରେ କାଗଜପତ୍ର ଫିଙ୍ଗିବା ସହ ପ୍ରଧାନ ବିଚାରପତିଙ୍କ ପ୍ରତି ଅଶାଳୀନ ଭାଷାର ପ୍ରୟୋଗ କରିଥିଲେ।ସୁରକ୍ଷା କର୍ମୀମାନେ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କୁ ହେପାଜତକୁ ନେଇ କୋର୍ଟରୁମରୁ ବାହାର କରିଦେଇଥିଲେ। ଯଦିଓ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଆବେଦନକାରୀଙ୍କ ବିରୋଧରେ ଏଫଆଇଆର ଦାୟର କରିପାରିଥାନ୍ତେ। ମାମଲାକୁ ଆଉ ଆଗକୁ ନ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

ସୁପ୍ରିମକୋର୍ଟ ମତ ରଖିଛନ୍ତି ଯେ, ଶସ୍ତା ଲୋକପ୍ରିୟତା ପାଇବା ପାଇଁ ଏପରି ଘଟଣା ପ୍ରାୟତଃ ମଞ୍ଚସ୍ଥ କରାଯାଏ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ବ୍ୟକ୍ତିଙ୍କୁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବ। ରେଜିଷ୍ଟ୍ରାର ମୁଖ୍ୟ ବିଚାରପତିଙ୍କୁ ଘଟଣା ବିଷୟରେ ଜଣାଇବା ପରେ, ସେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଘଟଣା ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।