ରାକ୍ଷୀରେ ଘୂର୍ଣ୍ଣିବଳୟ : ଲଘୁଚାପ ପାଇଁ ପ୍ରବଳ ବର୍ଷିବ

ଓଡ଼ିଶା ପାଗରେ ପୁଣି ଆସିପାରେ ବଡ଼ ପରିବର୍ତ୍ତନ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ଅଗଷ୍ଟ ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଅଗଷ୍ଟ ୨୯ କିମ୍ବା ୩୦ ତାରିଖ ବେଳକୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ୧୦୧ମିମି, ବରଗଡ଼ରେ ୯୫.୮, ଝାରସୁଗୁଡ଼ାରେ ୩୭.୩, ମାଲକାନଗିରିରେ ୩୬.୪ ଓ ଯାଜପୁରରେ ୩୧.୫ ମିମି ବର୍ଷା ରେକର୍ଡ ହୋଇଛି । ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ ସର୍ବାଧିକ ୧୬୨.୨ ମିମି ବର୍ଷା ହୋଇଛି । ୪ଟି ବ୍ଲକରେ ୧୦୦ ମିମିରୁ ଅଧିକ ଓ ୯ଟି ବ୍ଲକ୍, ଗୋଟିଏ ପୌରାଞ୍ଚଳରେ ୫୦ରୁ ୧୦୦ ମିମି ବର୍ଷା ହୋଇଛି । ଅଗଷ୍ଟ ୧ରୁ ୨୫ ତାରିଖ ଯାଏ ମୋଟ ୩୪୪.୪ ମିମି ବର୍ଷା ହୋଇଛି ।ସେପଟେ ଅଗଷ୍ଟ ଶେଷ ସପ୍ତାହରେ ମଧ୍ୟ ମୌସୁମୀ ବର୍ଷାର ପ୍ରଭାବ କମିବାର ନାଁ ନେଉନାହିଁ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପାଣିପାଗ ଅସ୍ଥିର ରହିବା ଆକଳନ କରାଯାଇଛି । ତେଣୁ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗର ନୂଆ ସତର୍କ ସୂଚନା ଉପରେ ନଜର ରଖିବା ଜରୁରୀ ।