ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏଁ ମୌସୁମୀ ଅଧିବେଶନ

ସେପ୍ଟେମ୍ବର ୨୨ ତାରିଖରୁ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ସମୟ ମଧ୍ୟରେ ବିଭିନ୍ନ ବିଲ୍‌ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ।ଅନ୍ୟପଟେ ମୋହନ ସରକାର ଘେରୁବାକୁ ବିରୋଧ ଦଳମାନେ ପ୍ରସ୍ତୁତ ହୋଇ ରହିଛି ।ମୌସୁମୀ ଅଧିବେଶନ ବିଜେପି ସରକାର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । କାରଣ ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ରହିଛି । ପାର୍ଲିଆମେଣ୍ଟରେ MMDR ଆକ୍ଟ ପାରିତ ହେବା ପରେ ରାଜ୍ୟରେ ତାତିକି ଅଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଲଗାତାର ଭାବେ ଉଭୟ ଦଳ ବିଧାନସଭା ବାହାରେ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ବିଧାନସଭା ଉଭୟଙ୍କ ପାଇଁ ସୁଯୋଗ ଆଣି ଦେଇଛି ।

ସେହିପରି ରାଜ୍ୟରେ ଲାଗି ରହିଛି ବନ୍ୟା ସମସ୍ୟା । ବନ୍ୟା ନିୟନ୍ତ୍ରଣ ଓ ମୁକାବିଲାରେ ସରକାର ଫେଲ ମାରିଥିବା ଅଭିଯୋଗ ରହିଛି । ରିଲିଫ ନମିଳିବା ନେଇ ଲୋକେ ତାତିଛନ୍ତି । ପ୍ରସଙ୍ଗକୁ ଜୋରଦାର ଉଠେଇବେ ଦୁଇ ବିରୋଧୀ ଦଳ । ସେହିପରି ନିଟ ତାତିରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦ ଯାଇଥିଲେ ମଧ୍ୟ ନିଆଁ କୁହୁଳୁଛି । ସେହିପରି ବହିରେ ତ୍ରୁଟିକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଘେରିବେ ବିରୋଧୀ । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ସହ ରଥଯାତ୍ରା ଅଘଟଣ ମଧ୍ୟ ବଡ଼ ପ୍ରସଙ୍ଗ ହୋଇପାରେ ।