ଅନଲାଇନରେ ଦୁଦୁରା ଫଳ ବିକ୍ରିରେ ବ୍ରେକ୍, Amazon, Swiggy Instamart ଓ BigBasketର ଲାଇସେନ୍ସ ସ୍ଥଗିତ

ଖାଦ୍ୟ କିମ୍ବା ମାନବ ବ୍ୟବହାର ପାଇଁ ଅତ୍ୟନ୍ତ ବିଷାକ୍ତ ‘ଦୁର୍ଦୁରା’ ଫଳ ଓ ମଞ୍ଜି ଅନଲାଇନରେ ବିକ୍ରି ହେଉଥିବା ଜଣାପଡ଼ିବା ପରେ କର୍ଣ୍ଣାଟକ ସରକାର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍, ସ୍ବିଗି ଇଂଷ୍ଟାମାଟ୍ ଓ ବିଗବାସ୍କେଟର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ”ଫୁଡ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡସ ଆକ୍ଟ, ୨୦୦୬” ଅଧୀନରେ ଏହି ତିନୋଟି ପ୍ଲାଟଫର୍ମର ଫୁଡ୍ ଲାଇସେନ୍ସକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରିବା ସହ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ଇ-କମର୍ସ ପ୍ଲାଟଫର୍ମଗୁଡିକରେ ଦୁଦୁରା ଫୁଲ ଏବଂ ଫଳକୁ ଖାଦ୍ୟ ଭାବେ ବିକ୍ରି ପାଇଁ ତାଲିକାଭୁକ୍ତ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚବେଳେ ଜଣାପଡିଥିଲା । କିଛି ପ୍ୟାକେଜରେ FSSAI ଲାଇସେନ୍ସ ନମ୍ବର ଥିବା ତଦନ୍ତରୁ ଜଣାପଡିଛି । ଯାହା ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ତେଣୁ ଏହାକୁ ଖାଦ୍ୟ ଭାବେ ବିକ୍ରି କିମ୍ବା ବଣ୍ଟନ କରିବା ନିୟମ ବିରୋଧୀ ବୋଲି ଖାଦ୍ୟ ସୁରକ୍ଷା ବିଭାଗ କହିଛି ।ଏହି ଆଦେଶ ଅନୁସାରେ, ସମ୍ପୃକ୍ତ ଫୁଡ୍ ବିଜନେସ୍ ଅପରେଟରମାନଙ୍କୁ ସେମାନଙ୍କ ଆପ୍ କିମ୍ବା ୱେବସାଇଟରୁ ଦୁର୍ଦୁରା ସମ୍ପର୍କିତ ସମସ୍ତ ଲିଷ୍ଟିଂ, ବିଜ୍ଞାପନ ଓ ପ୍ରଚାର ସାମଗ୍ରୀ ତୁରନ୍ତ ହଟାଇବାକୁ କୁହାଯାଇଛି। ଏଥିସହିତ ଏହି ତିନୋଟି ବଡ଼ ପ୍ଲାଟଫର୍ମକୁ ଏହି ସାମଗ୍ରୀ ଯୋଗାଉଥିବା ବିକ୍ରେତା ଏବଂ ସଂସ୍ଥାଗୁଡ଼ିକର ଲାଇସେନ୍ସ ଓ ପଞ୍ଜୀକରଣକୁ ମଧ୍ୟ ତୁରନ୍ତ ସସପେଣ୍ଡ କରିବାକୁ ରାଜ୍ୟ ଓ କେନ୍ଦ୍ରୀୟ ଫୁଡ୍ ସେଫ୍ଟି ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନୁଷ୍ଠାନଗୁଡ଼ିକ ନିୟମାନୁସାରେ କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବା ଏବଂ ସେମାନଙ୍କ ପକ୍ଷ ରଖିବାର ସୁଯୋଗ ପାଇବା ପରେ ହିଁ ସସପେନ୍ସନ୍ ହଟାଇବା ନେଇ ପରବର୍ତ୍ତୀ ବିଚାର କରାଯିବ।