ବଳଦେବଜୀଉଙ୍କ ପାଖକୁ ଆସିଲା ପାଟ ରାଖି, ଶ୍ରୀମନ୍ଦିରରୁ ପଠାଇଛନ୍ତି ଭଉଣୀ ସୁଭଦ୍ରା

ବଳଦେବଜୀଉଙ୍କ ପାଖକୁ ଆସିଲା ପାଟ ରାଖି । ପୁରୀରୁ କେନ୍ଦ୍ରାପଡ଼ାକୁ ଆସିଛି ରାଖି । ଭଉଣୀ ସୁଭଦ୍ରା ବଡ଼ଭାଇ ବଳଭଦ୍ରଙ୍କ ପାଇଁ ରାଖି ପଠାଇଛନ୍ତି । ମା’ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ପାଟସେବା ସଂଘ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ରାଖି ନେଇ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସ୍ବାଗତ କରାଯାଇଛି ।ଏହି ରାକ୍ଷୀକୁ ମନ୍ଦିର କାର୍ଯ୍ୟାଳୟ ପାଖରୁ  ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ମନ୍ଦିର ପର୍ଯ୍ୟନ୍ତ ନିଆ ଯାଇଥିଲା ।  ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମନ୍ଦିର ରତ୍ନ ସିଂହାସନ ପାଖରେ ମା’ ସୁଭଦ୍ରାଙ୍କ ପୂଜାପଣ୍ଡା ପରୀକ୍ଷିତ କରଙ୍କୁ  ଦୁଇଗୋଟି ପାଟ ରାକ୍ଷୀକୁ ହସ୍ତାନ୍ତର କରିବା ପରେ ସୁପରଭାଇଜର ଓ ଭଣ୍ଡାରରକ୍ଷକ ଭଗବାନ ସୁଆରଙ୍କୁ ଜିମା ଦିଆଯାଇ ଭଣ୍ଡାର ଗୃହରେ ସୁରକ୍ଷିତ ଭାବେ ରଖାଯାଇଥିଲା । ଆସନ୍ତା ୨୭ତାରିଖ ଗୁରୁବାର ଜନ୍ମୋତ୍ସବ ଅବସରରେ ଶ୍ରୀବଳଦେବଜିଉ ଓ ସାନଭାଇ ଶ୍ରୀଜଗନ୍ନାଥ ଏହି ପାଟରାକ୍ଷୀକୁ ହସ୍ତରେ ପରିଧାନ କରିବେ ବୋଲି ମନ୍ଦିର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।