ଜାତୀୟ ସଙ୍ଗୀତ ଓ ଗୀତ ଗାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶାନାମା
ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପ୍ରଶାସକ ଏବଂ କେନ୍ଦ୍ରୀୟ ସଚିବମାନଙ୍କୁ ଚିଠି ଲେଖି ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି। ନୂଆ ଗାଇଡଲାଇନ୍ ଅନୁସାରେ, ପ୍ରଥମେ ‘ବନ୍ଦେ ମାତରମ୍ ’ ଓ ପରେ ‘ଜନ ଗଣ ମନ’ ଗାନ କରାଯିବ। ବନ୍ଦେ ମାତରମର ସମସ୍ତ ୬ଟି ଯାକ ପଦ ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ଜାତୀୟ ସଙ୍ଗୀତ ଭଳି ବନ୍ଦେ ମାତରମ୍ ଗାନ କିମ୍ବା ଏହାର ଧୂନ୍ ବାଜିବା ସମୟରେ ମଧ୍ୟ ଉପସ୍ଥିତ ସମସ୍ତ ବ୍ୟକ୍ତି ସମ୍ମାନର ସହ ଛିଡ଼ା ହେବାକୁ ପଡ଼ିବ। ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପରିବେଷଣ ସମୟରେ ସଠିକ୍ ସ୍କ୍ରିପ୍ଟ, ଶବ୍ଦାବଳୀ, ସ୍ୱର ଏବଂ ଶୁଦ୍ଧ ଉଚ୍ଚାରଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଏଥିରେ କୌଣସି ପ୍ରକାରର ତ୍ରୁଟି ଆଦୌ ଗ୍ରହଣୀୟ ହେବ ନାହିଁ। କେଉଁଠି ଏହା ବାଧ୍ୟତାମୂଳକ ଏବଂ କେଉଁଠି ଇଚ୍ଛାଧୀନ, ତାର ଏକ ବିସ୍ତୃତ ତାଲିକା ମଧ୍ୟ ପଠାଯାଇଛି। ନିଜ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକରେ ଏହି ନିୟମକୁ ତୁରନ୍ତ ଲାଗୁ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ କୁହାଯାଇଛି।