ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ହରଡଘଣାରେ ଥାନା ଏଏସ୍ଆଇ
ସାରା ରାଜ୍ୟରେ ପୁଲିସ ନିନ୍ଦା ଅପବାଦ ମୁଣ୍ଡାଇ ଚାଲିଥିବା ବେଳେ ନୟାଗଡ଼ ପୁଲିସକୁ ଶନିଦଶା ପଡ଼ିଥିବା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଚେରାପୀରତି କରି ହରଡ଼ଘଣାରେ ପୁଲିସ ଏଏସ୍ଆଇ। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ଧରିଲେ ପରିବାର ଓ ସ୍ଥାନୀୟଲୋକ। ପରେ ସଂପୃକ୍ତ ପୁଲିସ ବାବଙ୍କୁ ଉତ୍ତମମଧ୍ୟମ ଦେଇଥିବା ଜଣାପଡିଛି। ଏଭଳି ଚକିତ କରିଦେଲା ଭଳି ଘଟଣା ରଣପୁର ଥାନା ଅଞ୍ଚଳରେ ଘଟିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।। ସମ୍ପୃକ୍ତ ମହିଳାଙ୍କ ଘରେ ପୂର୍ବରୁ ପ୍ରଶାନ୍ତ ଭଡାରେ ରହୁଥିଲେ ଏବଂ କିଛିଦିନ ତଳେ ଘର ଛାଡି ଅନ୍ୟ ସ୍ଥାନରେ ରହୁଥିଲେ । ସେଠାରେ ରହୁଥିବା ସମୟରେ ପରିବାରର ଜଣେ ମହିଳାଙ୍କ ଉପରେ ପ୍ରଶାନ୍ତଙ୍କର ଖରାପ ନଜର ପଡିଥିଲା ।
ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ପ୍ରଶାନ୍ତ ସମ୍ପୃକ୍ତ ମହିଳାଙ୍କ ଘରେ ପଶିଥିବାବେଳେ ପରିବାର ଲୋକେ ତାଙ୍କୁ ଧରି ପ୍ରବଳ ମାଡ଼ ମାରିଥିଲେ । ପ୍ରଶାନ୍ତ କ୍ଷମା ମାଗିବା ପରେ ପରିବାର ଲୋକେ ଏବଂ ସାହି ଲୋକ ଛାଡିଥିଲେ । ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ। ତେବେ ପୁଲିସ ବାବୁ ଧରାପଡିବା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।