କ୍ୟାନସର ଇଞ୍ଜେକ୍ସନ୍ ନାଁରେ ବିକ୍ରି ହେଉଛି ପାଣି । ଲକ୍ଷେ ଟଙ୍କା ନେଇ କର୍କଟ ରୋଗୀଙ୍କୁ ଦେଉଛନ୍ତି ଧୋକା

କ୍ୟାନସର ଇଞ୍ଜେକ୍ସନ୍ ନାଁରେ ବିକ୍ରି ହେଉଛି ପାଣି । ଲକ୍ଷେ ଟଙ୍କା ନେଇ କର୍କଟ ରୋଗୀଙ୍କୁ ଦେଉଛନ୍ତି ଧୋକା । କ୍ୟାନସର ଔଷଧ ନାଁରେ ଚାଲିଥିବା କଳବଜାରୀ ଉପରୁ ପରଦା ଉଠାଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ।ବିକାନେରର ଏକ ସରକାରୀ କର୍କଟ ହସ୍ପିଟାଲ ସହିତ ଜଡିତ ଏହି କଥିତ ନେଟୱାର୍କର ତଦନ୍ତ ସମ୍ପର୍କରେ ଏବେ ବିବ୍ରତକାରୀ ବିବରଣୀ ସାମ୍ନାକୁ ଆସିଛି। ଦିଲ୍ଲୀରେ ଜବତ ହୋଇଥିବା ଇଞ୍ଜେକ୍ସନର ନମୁନାରେ କର୍କଟ ରୋଗ ସହିତ ଲଢ଼ିବା ପାଇଁ ଆବଶ୍ୟକୀୟ ସକ୍ରିୟ ଉପାଦାନର ଅଭାବ ଥିବା ଜଣାପଡିଛି; ବରଂ ସେଥିରେ ପାଣି ଏବଂ ଜୀବାଣୁ ଥିଲା। ଅନ୍ୟ ଶବ୍ଦରେ, ରୋଗୀ ଯେଉଁ ଔଷଧ ଉପରେ ନିର୍ଭର କରନ୍ତି ତାହା ସେମାନଙ୍କ ଜୀବନ ପାଇଁ ବିପଦ ହୋଇପାରେ। ପୋଲିସ ଅନୁସାର, ରାଜସ୍ଥାନ ସରକାରଙ୍କ ଯୋଜନାରେ କ୍ୟାନସର ରୋଗୀଙ୍କୁ ଦିଆ ଯାଉଥିବା ଔଷଧକୁ କଳାବଜାରରେ ବିକ୍ରି କରାଯାଉଛି ।ଦେଶର ୭ଟି ରାଜ୍ୟରେ ବ୍ୟାପିଥିବା ୯ କୋଟି ମୂଲ୍ୟର ଏହି ରାକେଟର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି । ୫୮୮ଟି ଭର୍ତ୍ତି ଆଣ୍ଟି-କ୍ୟାନସର ଭାଏଲ୍, ୬ଟି ଖାଲି ଭାଏଲ, ୭ଟି ଖାଲି ଔଷଧ ବକ୍ସ, ୩ ହଜାର ୨୧ଟି ଅନ୍ୟ ଔଷଧ ଏବଂ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି ।

ଜବତ ଔଷଧ ମଧ୍ୟରେ ଡାର୍ଜାଲେକ୍ସ, ଇମଫିଞ୍ଜି, ଏରବିଟକ୍ସ, ଅପଡାଇଟା, ଗାଜିବା, ବାୱେନ୍ସିଆ, ଏଡସୋଟ୍ରିସ୍ ଓ କିଟ୍ଟଡା ଭଳି ମହଙ୍ଗା କ୍ୟାନସର ଔଷଧ ରହିଛି । ପୋଲିସ ଅନୁସାରେ, ଏହି ରାକେଟ୍ ଦିଲ୍ଲୀ-ଏନସିଆର, ମୁମ୍ବାଇ, ହାଇଦ୍ରାବାଦ, ହରିୟାଣା, ଉତ୍ତରପ୍ରଦେଶ ସହ ଅନ୍ୟ ଅଞ୍ଚଳରେ ବ୍ୟାପିଛି ।ଜୁନ୍ ୨୨ରେ ପୋଲିସକୁ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ପୂର୍ବ ଦିଲ୍ଲୀ, ରୋହିଣୀ ଓ ମୁମ୍ବାଇର ସନ୍ଦିଗ୍ଧ ଠିକଣାକୁ ଚିହ୍ନଟ କରାଯାଇଥିଲା । ଜୁଲାଇ ୧୧ରେ ଡ୍ରଗ୍ସ ବିଭାଗ ଓ ସ୍ଥାନୀୟ ପୋଲିସ ସହିତ ଦିଲ୍ଲୀ ଓ ନଭି ମୁମ୍ବାଇରେ ଏକକାଳୀନ ରେଡ୍ କରିଥିଲେ । ଯାହାପରେ ଜେରା ଓ ତନଖି ଆଧାରରେ ୧୭ ଜଣଙ୍କୁ ଗିରଫ କରାଯାଇଛି ।