ନେପାଳରେ ପ୍ରଳୟଙ୍କାରୀ ବନ୍ୟା;ବିହାରରେ ହାଇ ଆଲର୍ଟ
ତିବ୍ବତରୁ ଆସିଥିବା ଭୟଙ୍କର ବନ୍ୟା ନେପାଳର ରସୁଆ ଜିଲ୍ଲାର ଟିମୁରେ ଓ ସ୍ୟାଫ୍ରୁବେସି ଅଞ୍ଚଳରେ ବ୍ୟାପକ ଧ୍ୱଂସ ହୋଇଛି । ଭୋଟେକୋଶୀ ନଦୀରେ ହଠାତ୍ ଜଳସ୍ରୋତ ବଢ଼ିଯିବାରୁ ମାର୍କେଟ, ସ୍ଥାନୀୟ ଘରଦ୍ବାର, ଜଳବିଦ୍ୟୁତ ପ୍ରକଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଛି । ଏଥିରେ ଏପର୍ଯ୍ୟନ୍ତ ୧୬ ଜଣକ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ, ୧୦୫ ଭାରତୀଙ୍କ ସମେତ ହଜାର ହଜାର ଲୋକ ଭାସିଯାଇଥିବା ଆଶଙ୍କା କରାଯାଉଛି। । ତେବେ ଏନେଇ କିଛି ସ୍ପଷ୍ଟୋକ୍ତି ମିଳିନାହିଁ ।ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା ଜୀବନହାନି ଓ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ନେପାଳବାସୀଙ୍କ ପ୍ରତି ଭାରତର ସମର୍ଥନ ଜଣାଇଛନ୍ତି।ନେପାଳର ଏହି ସାଂଘାତିକ ସ୍ଥିତି ଯୋଗୁ ଏବେ ସୀମାନ୍ତ ରାଜ୍ୟ ବିହାର ଉପରେ ବନ୍ୟାର ବଡ଼ ବିପଦ ମାଡ଼ି ଆସିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଉତ୍ତର ବିହାରରେ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।
ତଥ୍ୟ ଅନୁସାରେ, ତିବ୍ଦତ ଅଞ୍ଚଳରେ ଏକ ଗ୍ଲାସିୟର ହ୍ରଦ (Glacial lake) ଫାଟିଯିବା କାରଣରୁ ଭୋଟେ-କୋଶୀ ନଦୀରେ ପ୍ରାୟ ୩ ମିଟର ଗଭୀରତାର ଜଳସ୍ତର ହଠାତ୍ ବଢ଼ିଯାଇଛି। ଯାହା ତ୍ରିଶୂଳୀ ନଦୀ ଦେଇ ବିହାରର ଗଣ୍ଡକ ନଦୀକୁ ମାଡ଼ି ଆସୁଛି। ଏହି କାରଣରୁ ଗଣ୍ଡକ ନଦୀରେ ୩ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପ୍ରବାହିତ ହେବାର ଆଶଙ୍କା ରହିଛି। ତେଣୁ ଏହି ବିପଦକୁ ଦୃଷ୍ଟିରେ ରଖି ବାଲ୍ମୀକିନଗର ସ୍ଥିତ ଗଣ୍ଡକ ବ୍ୟାରେଜ୍ର ସମସ୍ତ ୩୬ଟି ଯାକ ଗେଟ୍ ଖୋଲି ଦିଆଯାଇଛି।ପରିସ୍ଥିତି ଉପରେ ନଜର ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ବନ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇଦେବେ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି।