ଜେଲରୁ ଆସି ବଦଲା ! ଦୁଇ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟା
ଏକ ପକ୍ସୋ ମାମଲାରେ ଜାମିନରେ ଆସିବା ପରେ ଜଣେ ଯୁବକ ୧୭ ବର୍ଷୀୟା ଅଭିଯୋଗକାରିଣୀ, ତାଙ୍କ ପରିବାର ସଦସ୍ୟ ଏବଂ ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସମେତ ଛଅ ଜଣଙ୍କୁ ହତ୍ୟା କରିଛି । ଏବେ ଫେରାର୍ ହୋଇଯାଇଛି।ପୋଲିସର ସୂଚନା ଅନୁଯାୟୀ, ୩୫ ବର୍ଷୀୟ ଅଭିଯୁକ୍ତ ରାଜୁ କୁମାର ପୂର୍ବରୁ ଏକ ନାବାଳିକା ଝିଅକୁ ଅସଦାଚରଣ କରି ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲା। ବର୍ତ୍ତମାନ ସେ କୋର୍ଟରୁ ଜାମିନ ପାଇ ଜେଲ୍ରୁ ବାହାରକୁ ଆସିଥିଲା। ହେଲେ ଜେଲ ବାହାରିବା ପରେ ସେ ସୁଧୁରିବା ପରିବର୍ତ୍ତେ ପ୍ରତିଶୋଧର ନିଆଁରେ ଜଳୁଥିଲା। ଶାହବାଦ ଅଞ୍ଚଳରେ ରହୁଥିବା ସେହି ପୀଡ଼ିତା ନାବାଳିକାଙ୍କ ଘରେ ପଶି ରାଜୁ ପ୍ରଥମେ ନାବାଳିକା ଝିଅ, ତାଙ୍କ ମାଆ ଏବଂ ତାଙ୍କ ଜେଜେମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା।
ଏତିକିରେ ଅଭିଯୁକ୍ତର ମନ ଭରିନଥିଲା। ନାବାଳିକାର ପରିବାରକୁ ଶେଷ କରିବା ପରେ ସେ ନିଜ ବାସଭବନ ରାୟବଲାଗୁଡ଼ାକୁ ଯାଇ ସେଠାରେ ନିଜ ସ୍ତ୍ରୀ ଏବଂ ଦୁଇ ନିଷ୍ପାପ ସନ୍ତାନଙ୍କୁ ମଧ୍ୟ ଗଳାକାଟି ହତ୍ୟା କରିଥିଲା। ମାତ୍ର କେଇ ଘଣ୍ଟା ମଧ୍ୟରେ ସେ ଦୁଇଟି ହସୁଥିବା ଖେଳୁଥିବା ପରିବାରକୁ ଜିଅନ୍ତା କବର ଦେଇଦେଇଥିଲା।ଶାହାବାଦ ପୋଲିସ ଗାଁକୁ ଯାଇ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଫ୍ୟୁଚର୍ ସିଟି କମିଶନରେଟର ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।ଏକ ମାମଲା ରୁଜୁ କରାଯାଇଛି ଏ “ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ଏବଂ ମାମଲାର ପ୍ରତ୍ୟେକ ଦିଗର ଗଭୀର ତଦନ୍ତ ଚାଲିଛି” ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏହି ଘଟଣା ଘଟିଛି ।