ରଥଯାତ୍ରା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ସୁରକ୍ଷା ବ୍ୟବସ୍ଥାରେ ୧୨ହଜାର ପୋଲିସ

ଚଳିତ ରଥଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ହୋଇଛି ବ୍ୟାପକ ବନ୍ଦୋବସ୍ତ । ୧୭୦୦ ବାୟୋ ଟଏଲେଟ, ୮ଟି ଅସ୍ଥାୟୀ ହସ୍ପିଟାଲ, ୬୫ ଏଲଇଡି ସ୍କ୍ରିନର ବ୍ୟବସ୍ଥା । ସେହିପରି ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ପାଇଁ ୪୭୦ ସିସିଟିଭି କ୍ୟାମେରା ଲାଗିଛି । ୧୬ ସ୍ଥାୟୀ ଟେଲିକମ ଟାୱାର ସହ ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ଜଣ ବରିଷ୍ଠ ଆଇପିଏସଙ୍କ ସହ ୧୨ ହଜାର ପୋଲିସ ତଥା CAPFର କର୍ମଚାରୀ ମୁତୟନ ନିୟୋଜିତ ଅଛନ୍ତି । ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଆରୋପ କରିଛନ୍ତି ।ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ସମୀକ୍ଷା ବୈଠକ କରିବା ପାରେ ଆଜି ଆଉ ଥରେ ଲୋକସେବା ଭବନରେ ବିସ୍ତୃତ ସମୀକ୍ଷା କରିଛନ୍ତି।ବୈଠକରେ ମୁଖ୍ୟମନ୍ତ୍ରୀ କର୍ଡନ ପରିଚାଳନା, ମହିଳାମାନଙ୍କ ସୁରକ୍ଷା, ସନ୍ଦିଗ୍ଧ ଓ ନିଶା ସେବନକାରୀଙ୍କ ଉପରେ ନଜର, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ, ପାଣିପାଗକୁ ଦେଖି ଉପଯୁକ୍ତ ପଦକ୍ଷେପ ଆଦି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରି ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଫୁଲ୍-ପ୍ରୁଫ୍ କରିବା ପାଇଁ ପରାମର୍ଶ ଦେଇଥିଲେ।ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା ପାଇଁ Help Deskର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଭିଡ ନିୟନ୍ତ୍ରଣ ପାଇଁ ଅନେକ Evacuation Corridor ର ବ୍ୟବସ୍ଥା କରାଯାଇଛି। ସମସ୍ତ ସୁରକ୍ଷା କାର୍ଯ୍ୟର ନିୟନ୍ତ୍ରଣ ପାଇଁ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କରାଯାଇଛି।ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିବ । ତେଣୁ ଟ୍ରେନର ସମୟ ଅନୁଯାୟୀ ଭକ୍ତମାନଙ୍କ ଆଗମନକୁ ଦେଖି ଯାତ୍ରୀମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବା, ଭିଡ଼ ନିୟନ୍ତ୍ରଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ସଠିକ ରୂପେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ଶୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏବଂ ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଛନ୍ତି ।