ବାହାମାସରେ ପ୍ଲେନ କ୍ରାସ୍, ୧୦ ମୃତ
ବାହାମାସର ନର୍ଥ ଆଣ୍ଡରସରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ପ୍ଲେନ କ୍ରାସରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ସରକାରଙ୍କୁ ଫ୍ଲେମିଙ୍ଗୋ ଏୟାରର ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପଡିଲା । ସମସ୍ତଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ ରହିଛି ।ବାହାମାସର ପ୍ରଧାନମନ୍ତ୍ରୀ ଫିଲିପ୍ ବ୍ରେଭ୍ ଡେଭିସ୍ ପ୍ରଥମେ ଜଣେ ବ୍ୟକ୍ତି ବଞ୍ଚି ଯାଇଥିବା କହିଥିଲେ` କିନ୍ତୁ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିତ କରିଥିଲେ ଯେ ସେହି ବ୍ୟକ୍ତି ତାଙ୍କ ଆଘାତରୁ ମୃତ୍ୟୁବରଣ କରିଛନ୍ତି। ସେ କହିଛନ୍ତି, ଯେଉଁ ଲୋକମାନେ ବାହାମାସର ସ୍ୱାଧୀନତାର ୫୩ତମ ବାର୍ଷିକୀ ପାଳନ କରୁଛନ୍ତି, ଆମେ ସେମାନଙ୍କର ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରୁଛୁ। ଏହି ଦିନଟି ଶୋକର ଦିନରେ ପରିଣତ ହୋଇଛି। ଆମେ ସେହି ପରିବାର ପ୍ରତି ଆମର ଗଭୀର ସମବେଦନା ପ୍ରକାଶ କରୁଛୁ। ସୂଚନାନୁଯାୟୀ, ଏହା ଏକ ଦୁଇଟି ଇଞ୍ଜିନ୍ ବିଶିଷ୍ଟ Cessna 402 ବିମାନ ଥିଲା । ଏହି ଦ୍ୱୀପପୁଞ୍ଜର ରାଜଧାନୀ ନାସାଉର ପଶ୍ଚିମରେ ସମୁଦ୍ରରେ ଅବସ୍ଥିତ ଉତ୍ତର ଆଣ୍ଡ୍ରୋସରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ନାସଉର ଲିଣ୍ଡେନ ପିଣ୍ଡଲିଂ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି ସାନ ଆଣ୍ଡ୍ରୋସ ଅଭିମୁଖେ ଯାଉଥିଲା । ଅବତରଣ କରିବା ପୂର୍ବରୁ ବିମାନଟି ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇ ପାଇନ୍ ୟାର୍ଡ ଅଞ୍ଚଳର ଏକ ଘଞ୍ଚ ବୁଦାଳିଆ ଜଙ୍ଗଲରେ କ୍ରାସ୍ କରିଥିଲା । ବିମାନରେ ୯ ଜଣ ଯାତ୍ରୀ ଏବଂ ୧ ଜଣ ପାଇଲଟ୍ ଥିଲେ । ଯାହାକି ଏବେ ସମସ୍ତେ ମୃତ |ବାହାମାସର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ଅଥରିଟି (AAIA) ର ଅଧିକାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବ୍ଲାକ୍ ବକ୍ସ ଏବଂ ବିମାନର ଭଗ୍ନାବଶେଷକୁ ଯାଞ୍ଚ କରିଛନ୍ତି ।