ଝାରପଡ଼ା ଜେଲରେ ଆଉ ଜଣେ HIV ପଜେଟିଭ୍ ଚିହ୍ନଟ

ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ପୁଣି ଜଣେ କଏଦୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହ ଜେଲରେ ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଗତକାଲି ଏକ ଚୋରି ମାମଲାରେ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ଝାଡ଼ାପଡା ଜେଲକୁ ପଠାଯାଇଥିଲା । ଜେଲରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ HIV ପଜିଟିଭ୍ ଥିବା ଜଣାପଡ଼ିଛି । ଫଳରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ପୃଥକ ବ୍ୟବସ୍ଥାରେ ରଖି ନିୟମାନୁସାରେ ପଦକ୍ଷେପ ଗ୍ରହଣ କରୁଛନ୍ତି ।ଏହା ପୂର୍ବରୁ ଝାରପଡ଼ା ଜେଲରେ ୮ ଜଣ କଏଦୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ପୂର୍ବରୁ ଏହି ପ୍ରସଙ୍ଗରେ ଝାରପଡ଼ା ଜେଲର ସୁପରିଣ୍ଟେଣ୍ଡେଣ୍ଟ ସମ୍ପୃକ୍ତ କୋର୍ଟ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଜେଲ ଭିତରେ ସଂକ୍ରମଣ ନିୟନ୍ତ୍ରଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ସୁବିଧାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ, HIV ସାଧାରଣ ସଂସ୍ପର୍ଶ, ଏକାଠି ରହିବା, ଖାଇବା କିମ୍ବା ହାତ ମିଳାଇବା ଦ୍ୱାରା ବ୍ୟାପେ ନାହିଁ । ତେଣୁ ସଚେତନତା, ସଠିକ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଚିକିତ୍ସା ମାଧ୍ୟମରେ ଏହାର ପରିଚାଳନା ସମ୍ଭବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ।