ବୃକ୍ଷ ପୂଜା କରି ପାଳିଲେ ବିଶ୍ୱ ବନ ଦିଵସ

ଗଣିଆ,( ବିଶ୍ୱରଂଜନ ସେଠି) ବଣ ଜଙ୍ଗଲକୁ ସୁରକ୍ଷା ଦେଇ ଅନୁକୂଳ ପରିବେଶ ପାଇଁ ସରକାର ପ୍ରତିବର୍ଷ ମାର୍ଚ୍ଚ ୨୧କୁ ବିଶ୍ୱ ବନ ଦିଵସ ଭାବେ ପାଳିତ ହେଉଅଛି । ଜମି, ଜଙ୍ଗଲ ଓ ଜଳର ସୁରକ୍ଷା ପାଇଁ ବଡଶିଲିଙ୍ଗା ପଞ୍ଚାୟତ ଆଦିମ ଅଧିବାସୀ ମୁକ୍ତି ମଞ୍ଚ ଓ ଦଶପଲ୍ଲା ସଂଚାର ଅନୁଷ୍ଠାନ ତରଫରୁ ଗୋଛବାରି ଗ୍ରାମ ଆମ୍ବତୋଟା ପରିସରରେ ବିଶ୍ୱ ବନ ଦିଵସ ପାଳିତ ହୋଇଯାଇଛି। ପ୍ରଥମେ ଗୋଛବାରୀ ଗ୍ରାମବାସୀଙ୍କ ତରଫରୁ ନାମ ସଂକୀର୍ତ୍ତନ କରି ନିକଟସ୍ଥ ଜଙ୍ଗଲରେ ଥିବା ଶାଳ ଓ ଆମ୍ବ ଗଛକୁ ପୂଜାର୍ଚ୍ଚନା କରିଥିଲେ । ପରେ ଆୟୋଜିତ ସଚେତନତା ସଭାରେ ବଡଶିଲିଙ୍ଗା ଅଞ୍ଚଳର ରାମଚନ୍ଦ୍ର ମଲିକ ସଭାପତିତ୍ୱ କରିଥିଲେ। ମୁଖ୍ୟ ବକ୍ତା ଭାବେ ପରିବେଶବିତ ତଥା ଗଣିଆ ବ୍ଲକ ପୂର୍ବତନ ଅଧକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ମାନୀତ ଅତିଥି ଭାବେ ବଡଶିଲିଙ୍ଗା ବନପାଳ ସୋମନାଥ ପରିଡ଼ା , ଘୁଗୁଡ଼ିପଡ଼ା ବନରକ୍ଷୀ ବିଶ୍ୱଜିତ, ପରିବେଶବିତ ପ୍ରଫୁଲ୍ଲ ମିଶ୍ର, ସନ୍ତୋଷ କୁମାର ପ୍ରଧାନ, ପ୍ରତାପ କୁମାର ରାଉତ, ଶିକ୍ଷକ ଭୀମସେନ ମଲିକ, ମାଗୁଣି କହଁର ପ୍ରମୁଖ ଯୋଗଦେଇ ଜଙ୍ଗଲ, ଜମି ଓ ଜଳର ସୁରକ୍ଷା ପାଇଁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଜଙ୍ଗଲ ଦିନକୁ ଦିନ କ୍ଷୟ ହେଉଥିବା ଯୋଗୁଁ ଆଗାମୀ ଦିନରେ ମାନବ ସମାଜ କିଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତାହାର ପ୍ରତିଫଳନ ବିଶ୍ୱର ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି। ବିଶେଷକରି ଚଳିତ ଖରାଦିନରେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ଅତିଥିମାନେ ସଚେତନତା କରିଥିଲେ ।

ଜଙ୍ଗଲରେ ନିଆଁ ଲାଗିବା ଫଳରେ ଛୋଟ ବଡ ସାଧାରଣ ଓ ଔଷଧୀୟ ଗଛ, ବନ୍ୟଜନ୍ତୁ,ସରୀସୃପ ପୋଡି ନଷ୍ଟ ହେଉଅଛି। ଏଥିପ୍ରତି ଦୃଷ୍ଟି ଦେଇ ଜଙ୍ଗଲରେ ନିଆଁ ନଲଗାଇ ଜଙ୍ଗଲକୁ ସୁରକ୍ଷା ଦେଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇବା ପାଇଁ ଉପସ୍ଥିତ ଲୋକଙ୍କୁ ଅତିଥିମାନେ ଆହ୍ୱାନ କରିଥିଲେ । ଜଙ୍ଗଲକୁ ସୁରକ୍ଷା ଦେଲେ ମାନବ ସମାଜର ସୁରକ୍ଷା ହୋଇପାରିବ । ଏହି ପରିପ୍ରେକ୍ଷୀରେ ଉପସ୍ଥିତ, ଅତିଥି,ଜନସାଧାରଣ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦେବାପାଇଁ ଏକ ଶପଥପାଠ କରିଥିଲେ । ପରେ ପରିବେଶବିତ ତଥା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଦେଇ ଅଞ୍ଚଳବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ଆଦିମ ଅଧିବାସୀ ମୁକ୍ତିମଞ୍ଚର ସଂଯୋଜକ ପ୍ରଫୁଲ୍ଲ କୁମାର ନାୟକ ସଂଯୋଜନା କରିଥିଲେ ।