ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା।

ଆଠଗଡ : ୩୦/୦୪ (ମାନସ ରଞ୍ଜନ ସାହୁ)ଆଠଗଡ଼ ବ୍ଲକ କରିକୋଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୋଦିନୀ ବେହେରାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଆନୁକୂଲ୍ୟରେ ସ୍କୁଲ ପରିସରରେ ଆୟୋଜିତ ଏହି ସଭାରେ ଯୋରନ୍ଦା ପଞ୍ଚାୟତର ସରପଞ୍ଚ ତଥା ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ କମଳା ନାୟକ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଆଠଗଡ଼ ମଣ୍ଡଳ ଶିକ୍ଷାଧିକାରୀ କବିରାଜ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୁତିଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସାଧନା କେନ୍ଦ୍ର ସଂଯୋଜକ ବିଭୂପ୍ରସାଦ ମହାପାତ୍ର, ସମ୍ମାନିତ ବକ୍ତା ଭାବେ ବିଶ୍ୱନାଥ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଜେନା, ପ୍ରାକ୍ତନ ଶିକ୍ଷକ ବାଉରୀବନ୍ଧୁ ମଲିକ, ଫକୀର ଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶିକ୍ଷୟିତ୍ରୀ ସୁଚରିତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଦୀପ୍ତିରଞ୍ଜନ ବେହେରାଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରାକ୍ତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ଶ୍ରୀମତୀ ବେହେରାକୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା।