ଅନ୍ତର୍ଜାତୀୟ ସ୍ପିଡ୍ ସ୍ପେଟିଂରେ ଜଗତସିଂହପୁର ଜିଲ୍ଲାର ଝିଅ ଅଭିପ୍ସାଙ୍କ ସଫଳତା

ଜଗତସିଂହପୁର ପୌର ପରିଷଦ ସ୍ଥିତ ପୁରୋହିତ ପୁର, ତରଡ଼ାପଡ଼ା ଗ୍ରାମର ସ୍ବର୍ଗତ କେଦାର ଚରଣ ବାରିକଙ୍କ ଚଉଦ ବର୍ଷୀୟ ନାତୁଣୀ ଅଭିପ୍ସା ପ୍ରିୟଦର୍ଶିନୀ ଓଡିଶାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ପିଡ୍ ସ୍ପେଟିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଚେନାଇଠାରେ ସ୍ପିଡ଼ ସ୍କେଟିଂ ଫେଡେରେସନ ଅଫ ଇଣ୍ଡିଆଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ସ୍କେଟିଂ ପ୍ରତିଯୋଗିତାରେ ଦୁଇଟି ସ୍ବର୍ଣ୍ଣପଦକ ଓ ରିଲେରେ ରୋପ୍ୟପଦକ ହାସଲ କରି ଭାରତ ତରଫରୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଛନ୍ତି ।

ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ପେଟିଂ ପ୍ରତିଯୋଗିତାରେ ସଫଳତା ହାସଲ କରି ଓଡ଼ିଶା ଓ ଭାରତର ନାମକୁ ଗୌରବାନ୍ୱିତ କରିଛନ୍ତି। ମେ’ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାରେ ଆୟୋଜିତ ୪୦୦ ମିଟର ସ୍ପିଡ୍ ସ୍ପେଟିଂ ପ୍ରତିଯୋଗିତାରେ ଅଭିପ୍ସା ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆର୍ଥିକ ଦୁରାବସ୍ଥା ସତ୍ତ୍ଵେ ନିଜର ନିଷ୍ଠା ଓ ପ୍ରଚେଷ୍ଟା ତଥା ଓଡ଼ିଶାର ସ୍କେଟିକୋଚ୍ ଅଜୟ ଭୂଷଣ ସାହୁ ଏବଂ ଦେବାଶିଷ ସାରଙ୍କ ତତ୍ତ୍ଵାବଧାନରେ ସେ ଏକ ମାସ ଧରି ଭୁବନେଶ୍ଵରରେ ପ୍ରଶିକ୍ଷଣ ନେବା ପରେ ଏହି ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି । ଅଭିପ୍ସା ବର୍ତ୍ତମାନ କୋରାପୁଟ ଜିଲ୍ଲାର ସୁନାବେଢ଼ା ଡିଏଭି ଭିଏସ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଭାବେ ଅଧୟନ କରୁଛନ୍ତି। ତାଙ୍କର ଏହି ସଫଳତା ନିମନ୍ତେ ଆର୍ଥିକ ଓ ମାନସିକ ପ୍ରଶ୍ୱାହନ ଦେଇଥିଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ସୁନାବେଢ଼ା ହାଲ୍, ହାଲ୍ ସ୍ପୋର୍ଟସ୍ କ୍ଲବ୍, ହାଲ୍ ଓ୍ଵେଲଫେୟାର, ନାଲ୍‌କୋ ମ୍ୟାନେଜମେଣ୍ଟ, ସେମିଳିଗୁଡ଼ା ବିଡିଓ ଜସ୍ମିନ ପ୍ରଧାନ, ପଟ୍ଟାଙ୍ଗୀ ବିଡିଓ ରାମକୃଷ୍ଣ ନାୟକ, କୋରାପୁଟ ସ୍ପୋର୍ଟସ୍ ଅଫିସର ଜ୍ଞାନଜିତ ତ୍ରିପାଠୀ, ସୁନାବେଢ଼ା ଏସ୍‌ଡିପିଓ ଶ୍ରୀମତୀ ସୁମିତ୍ରା ଯେନା ,

ଏରୋନଟିକ୍ସ ମହାବିଦ୍ୟାଳୟର ଷ୍ଟାଫ୍ ଓ ଆଲୁମିନି, କଟକର ରୋଟାରି କ୍ଲବ କଟକର ଡକ୍ଟର ଆଲୋକ ପୃଷ୍ଟି ପ୍ରମୁଖ। ଅଭିପ୍ସାଙ୍କର ଏଭଳି ସଫଳତା ପାଇଁ ସମସ୍ତ ସାହାଯ୍ୟକାରି ଓ କ୍ରୀଡ଼ା ପ୍ରେମୀମାନେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଅଭିପ୍ସାଙ୍କର ଏହିଭଳି ପରିଶ୍ରମ ଜାରି ରହିଛି। କ୍ରୀଡ଼ାପ୍ରେମୀଙ୍କର ଏହିଭଳି ଆର୍ଥିକ ଓ ମାନସିକ ସହଯୋଗ ରହିଲେ ଆଗକୁ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶର ନାମକୁ ଗୌରବାନ୍ୱିତ କରିବେ ବୋଲି ଅଭିପ୍ସା କହିଛନ୍ତି। ସରକାରୀ ସହଯୋଗ କାହିଁକି ମିଳୁନାହିଁ ବୋଲି ପ୍ରଶ୍ନ ଉଠିବା ସଙ୍ଗେ ବୁଦ୍ଧିଜୀବୀ ମହଲରେ ସରକାରୀ ସହଯୋଗ ମିଳିଲେ ଅଭିପ୍ସା ଆହୁରି ଆଗକୁ ଯାଇ ଦେଶର ନାମ ରଖିବ ବୋଳି କହିଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ