ଅଯୋଦ୍ଧା ରାମମନ୍ଦିରରୁ ଦାନ ପାଣ୍ଠି ଚୋରି ମାମଲା, ଇସ୍ତଫା ଦେଲେ ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଓ ଅନିଲ ମିଶ୍ରା
ଅଯୋଧ୍ୟା ରାମମନ୍ଦିର ପାଣ୍ଠି ହେରଫେର୍ ମାମଲାରେ ୮ ଜଣ ଗିରଫ ହେବା ପରେ ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟର ଅନ୍ୟ ଜଣେ ପ୍ରମୁଖ ସଦସ୍ୟ ଅନିଲ ମିଶ୍ର ଇସ୍ତଫା ଦେଇଛନ୍ତି। ଏସଆଇଟିର ତଦନ୍ତ ରିପୋର୍ଟ ପରେ ଉଭୟ ଇସ୍ତଫା ଦେଇଛନ୍ତି ।ଏସଆଇଟିର ସୁପାରିଶ କ୍ରମେ ଘଟଣାରେ ପୂର୍ବରୁ ଏଫଆଇଆର ରୁଜୁ ହୋଇ ସାରିଛି । ଏହି ସମୟରେ ଇସ୍ତଫା ସହ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନର ସମ୍ପର୍କ ଥିବା କୁହାଯାଉଛି ।କିଛି ଦିନ ତଳେ ଉତ୍ତର ପ୍ରଦେଶ ସରକାର ଘଟଣାକୁ ଗୁରୁତର କହିବା ସହ ଦୋଷୀକୁ ଛଡାଯିବ ନାହିଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତଦନ୍ତ ସଙ୍କେତ ଦେଇଥିଲେ । ଅନିୟମିତତା ଧରା ପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ ।ରାମ ମନ୍ଦିର ପାଣ୍ଠି ହେରଫେର ମାମଲାର ତଦନ୍ତ କରୁଥିବା ଏସଆଇଟି ଉତ୍ତରପ୍ରଦେଶ ସରକାର ନିକଟରେ ଏହାର ପ୍ରାଥମିକ ରିପୋର୍ଟ ଦାଖଲ କରିବାର ୨ ଦିନ ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଟିନ୍ନୁ ଯାଦବ ଓ ଅନୁକଳ୍ପ ମିଶ୍ରଙ୍କ ସମେତ ମୋଟ୍ ୮ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଏସଆଇଟି କରିଥିବା ସୁପାରିସ ଆଧାରରେ ଉକ୍ତ ମାମଲାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ର ସଦସ୍ୟ ଶ୍ରୀ କୃଷ୍ଣ ମୋହନ ପ୍ରଥମେ ଏହି ମାମଲାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଏସଆଇଟି ଗଠନ କରିଥିଲେ। ଏସଆଇଟିର ପ୍ରାଥମିକ ରିପୋର୍ଟରେ ମାମଲାରେ ପରବର୍ତ୍ତୀ ବିଚାରଣ ପାଇଁ ସୁପାରିସ କରାଯିବାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୬, ୩୧୬ (୫), ୩୧୭ (୪), ୩୧୭ (୫) ଏବଂ ୩ (୫) ଅଧୀନରେ ଏହି ମାମଲାରେ ରାମଶଙ୍କର ଯାଦବ (ଟିନ୍ନୁ ଯାଦବ), ଅନୁକଳ୍ପ ମିଶ୍ର, ଅବିନାଶ ଶୁକ୍ଳା, ମନୀଷ ଯାଦବ, ଲବକୁଶ ମିଶ୍ର, ରାମଶଙ୍କର ମିଶ୍ର , ସୁଭାଷ ଶ୍ରୀବାସ୍ତବ ଓ କରୁଣେଶ ପାଣ୍ଡେ ଓ କେତେକ ଅଜ୍ଞାତ ଲୋକଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଏହାପରେ ସମସ୍ତ ୮ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ପୁଲିସ ହେପାଜତରେ ଅଛନ୍ତି ଓ ପୁଲିସ ସେମାନଙ୍କୁ ପଚରାଉଚରା କରୁଛି।