ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମକୁ ନେଇ ଆପତ୍ତି ଉଠାଇଲେ ଗଜପତି ମହାରାଜା

ମହାପ୍ରଭୁ ଜଗନ୍ନାଥ ଆନିମେସନ ଫିଲ୍ମକୁ ନେଇ ଆପତ୍ତି ଉଠାଇଲେ ଗଜପତି ମହାରାଜା । ଗଜପତି ଦର୍ଶାଇଛନ୍ତି ଯେ, ଏହି ଫିଲ୍ମର ଅଫିସିଆଲ୍ ଟ୍ରେଲର୍ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଏହି ଟ୍ରେଲର୍ ଜଗନ୍ନାଥ ମହାପ୍ରଭୁଙ୍କର ଏକ ସଂପୂର୍ଣ୍ଣ କାଳ୍ପନିକ କାହାଣୀ ଉପରେ ଆଧାରିତ, ଯାହା ଆମ ଶାସ୍ତ୍ରରେ ହୋଇଥିବା ପବିତ୍ର ବର୍ଣ୍ଣନାର ସଂପୂର୍ଣ୍ଣ ବିରୋଧୀ। ଭୁବନେଶ୍ୱରର ‘ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ ଏବଂ ଆସନ୍ତା ଜୁଲାଇ ୧୦ରେ ପ୍ରେକ୍ଷାଳୟକୁ ଆସିବାକୁ ଥିବା “ମହାପ୍ରଭୁ ଜଗନ୍ନାଥ” ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ୍ ଲଗାଇବାକୁ ଅପିଲ୍ କରିଛନ୍ତି ପୁରୀ ଗଜପତି ମହାରାଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାର ପ୍ରଚାର ସର୍ବଦା ମହର୍ଷି ବ୍ୟାସଦେବଙ୍କ ଦ୍ୱାରା ରଚିତ ପବିତ୍ର ଶାସ୍ତ୍ର ଓ ପୁରାଣ ଅନୁସାରେ ହିଁ ହେବା ଉଚିତ୍ । ଏଭଳି ବିକୃତ ଏବଂ କାଳ୍ପନିକ ଉପସ୍ଥାପନା ଦ୍ୱାରା ସାରା ବିଶ୍ୱରେ ଥିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଅନୁଭୂତି ଓ ଭାବନାକୁ ଗଭୀର ଆଘାତ ପହଞ୍ଚିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟି ଦ୍ୱାରା ଏହି ଚଳଚ୍ଚିତ୍ରର ସମସ୍ତ ବିଷୟବସ୍ତୁ ସଠିକ୍ ଭାବେ ଯାଞ୍ଚ ନହେବା ପର୍ଯ୍ୟନ୍ତ ଏହାର ରିଲିଜ୍ କୁ ସିନେମା ହଲ୍ କିମ୍ବା କୌଣସି ଡିଜିଟାଲ୍ ମିଡିଆ ପ୍ଲାଟଫର୍ମରେ ସ୍ଥଗିତ ରଖାଯାଉ ବୋଲି ଦାବି କରିଛନ୍ତି ଗଜପତି ମହାରାଜା । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଏହାର ଶୁଦ୍ଧତା ବଜାୟ ରଖିବା ପାଇଁ ଗଜପତି ମହାରାଜା ପ୍ରଯୋଜନା ସଂସ୍ଥାକୁ ତୁରନ୍ତ ଏହି ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି ।