ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ ! ଯୁଦ୍ଧ ମାହୋଲ ଭିତରେ ଭାରତୀୟ ଜାହାଜ ପାଇଁ ହୋର୍ମୁଜ୍‌ରେ କୋହଳ

ପଶ୍ଚିମ ଏସିଆରେ ଦୀର୍ଘ ସପ୍ତାହ ଧରି ଲାଗି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଭାରତ ସମେତ ସମଗ୍ର ବିଶ୍ୱ ଶକ୍ତି ବଜାର ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଇରାନ ଏବଂ ଆମେରିକା ମଧ୍ୟରେ ଅନ୍ତରୀଣ ଚୁକ୍ତି ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ହର୍ମୁଜ୍ ପ୍ରଣାଳୀ ଦେଇ ୩୦ଟି ବାଣିଜ୍ୟିକ ଜାହାଜ ସୁରକ୍ଷିତ ଭାବେ ଅତିକ୍ରମ କରିଛନ୍ତି । ଏହାସହ ଅନ୍ୟ ୨୬ଟି ଜାହାଜ ଏବେ ବାହାରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସାମୁଦ୍ରିକ ଯାତାୟାତ ସ୍ୱାଭାବିକ ହେବା ସହ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ଘଟିଛି । ଭାରତ ଅଭିମୁଖେ ଆସୁଥିବା ୩୦ଟି ଜାହାଜ ଏ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ସଫଳତାର ସହ ପାର୍ କରିସାରିଛନ୍ତି । ପାର୍ ହୋଇଥିବା ୩୦ଟି ଜାହାଜ ମଧ୍ୟରୁ ୧୫ଟି ଏଲଏନଜି,ଏଲପିଜି ଗ୍ୟାସ୍ ଜାହାଜ, ୮ଟି ବଲ୍କ କାର୍ଗୋ ଜାହାଜ ଏବଂ ୭ଟି ଅଶୋଧିତ ତେଲ ବୋଝେଇ ଜାହାଜ ରହିଛି । ବାକି ୨୬ଟି ଜାହାଜ ମଧ୍ୟରୁ ୩ଟି ଏନର୍ଜି କାର୍ଗୋ, ୧୦ଟି ସାର ଏବଂ ୧୩ଟି ଅନ୍ୟାନ୍ୟ ଜରୁରୀ ସାମଗ୍ରୀରେ ଭର୍ତ୍ତି ଅଛି ।