ଗଣିଆ ବ୍ଲକରେ ବିକାଶର ଧାରା ଓଡିଶା ସାରା କାଯ୍ୟକ୍ରମ ରେ ଯୋଗଦେଲେ କନ୍ଧମାଳ ସାଂସଦ
ଗଣିଆ, (ବିଶ୍ୱରଂଜନ ସେଠି ): ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଗଣିଆ ବ୍ଲକ ପରିସରରେ ଶୁକ୍ରବାର ଦିନ ‘ଦୁଇ ବର୍ଷର ଜନସମ୍ପର୍କ କାର୍ଯ୍ୟକ୍ରମ-୨୦୨୬ ବେଶ୍ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଏବଂ ଏହାର ସୁଫଳ ଉପରେ ବିସ୍ତୃତ ଆଲୋକପାତ କରାଯାଇଥିଲା।

ଗଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାବଣେନ୍ଦୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର , ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଅମ୍ବିକା ପ୍ରସାଦ ମିଶ୍ର ଏହି ସଭାର ମଞ୍ଚ ପରିଚାଳନା କରିଥିଲେ।
ବିଗତ ଦୁଇ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ତଥା ପଛୁଆ ବର୍ଗର ଲୋକଙ୍କ ଆର୍ଥିକ, ସାମାଜିକ ଓ ଶୈକ୍ଷିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅତିଥିମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଅତିଥିମାନେ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସିଧାସଳଖ ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ତଥା ମହିଳାମାନେ ସାମିଲ ହୋଇ ସରକାରୀ ଯୋଜନାର ସଫଳତା ସମ୍ପର୍କରେ ଅବଗତ ହୋଇଥିଲେ।
ଜନସମ୍ପର୍କ କାର୍ଯ୍ୟକ୍ରମ ଶେଷ ହେବା ପରେ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଗଣିଆ ଠାରୁ ରାଉତପଡା ଭାୟା ମାଳତୀପୁଟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ୪ କୋଟି ୯୭ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ଶୁଭ ଉଦଘାଟନ କରାଯାଇଥିଲା। ଏଇ ଭିତ୍ତିପ୍ରସ୍ତର ସ୍ଥାପନରେ ଗ୍ରାମ୍ୟଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦିବ୍ୟାରାଣୀ ପୃଷ୍ଟି, ସହକାରୀ ଯନ୍ତ୍ରୀ ସମୀକ୍ଷା ଦାଶ ଓ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ସାହୁ ଉପସ୍ଥିତ ଥିଲେ । ବହୁଦିନ ଧରି ଏଇ ରାସ୍ତାରେ ଅଂଚଳବାସୀ ଓ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ବାରମ୍ବାର ଦାବି ହେଉଥିଲେ ମଧ୍ୟ ରାସ୍ତା କାମ ପାଇଁ କେହି କର୍ଣ୍ଣପାତ କରୁନଥିଲେ । ଆଜି ସାଂସଦ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ଅଞ୍ଚଳ ବାସି ଖୁସି ବ୍ୟକ୍ତ କରିବା ସହିତ ସାଂସଦଙ୍କ ଦୀର୍ଘାୟୁ କାମନା କରିଛନ୍ତି ।