ବାତ୍ୟା ଆଶଙ୍କା! ରାଜ୍ୟବାସୀ ବିଚଳିତ ହୁଅନ୍ତୁ ନାହୁଁ, ସରକାର ପ୍ରସ୍ତୁତ ଅଛନ୍ତି କହିଲେ ରାଜସ୍ବ ମନ୍ତ୍ରୀ

ବାତ୍ୟା ଆଶଙ୍କା ବଢାଇଲାଣି ବିଶେଷଜ୍ଞଙ୍କ ଆକଳନ। ପୁଣି ଅକ୍ଟୋବରରେ ଓଡ଼ିଶା ଦେଖିପାରେ ସାଇକ୍ଲୋନ୍। ଦିନ ଯେତିକି ଗଡୁଛି, ଛନକା ବଢୁଛି। ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ। ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଅଧିକ। କାରଣ, ପାଗ ଅନୁକୂଳ ରହିଛି। ୨୬ରେ ଅବପାତ ଏବଂ ୨୭ ରାତି କିମ୍ବା ୨୮ରେ ବାତ୍ୟା ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ମତରେ ଯଦି ବାତ୍ୟା ହୁଏ, ତେବେ ଏହା ଓଡ଼ିଶାର ଜଗତସିଂହପୁରରୁ ଗଞ୍ଜାମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀ ବିଚଳିତ ହୁଅନ୍ତୁ ନାହିଁ। ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।ୟୁରୋପିୟ ମଡେଲମାନଙ୍କୁ ଇଣ୍ଡିକେସନ ଭାବେ ନେଇ ଆମେ ପ୍ରସ୍ତୁତ ହେଉଛୁ | ଆଇଏମଡି ସହିତ ନିରନ୍ତର ଯୋଗାଯୋଗରେ ଅଛୁ | ଲଘୁଚାପ ହେବ ଏବଂ ପରେ ଅବପାତର ରୂପ ନେବ ଏବଂ ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟ ଛୁଇଁବ କିନ୍ତୁ କେତେ କ୍ଷତିକର ହେବ ସେ ନେଇ ଆଇଏମଡି ପକ୍ଷରୁ ସଠିକ ଆକଳନ ଏପର୍ଯ୍ୟନ୍ତ କରାଯାଇ ନାହିଁ |