ଇଣ୍ଡୋନେସିଆ ଫେରି ଯିବେ ଓରାଙ୍ଗଉଟାନ୍ ଶାବକ
ଓଡ଼ିଶାର ନନ୍ଦନକାନନରେ ଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରଣାଳୟର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ଟିମ୍ ନଭେମ୍ବର ୨୦୨୬ ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କୁ ୨୦୨୬ ସେପ୍ଟେମ୍ବରରେ ଓଡ଼ିଶାରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ଏହି ୫ଟି ଓରାଙ୍ଗଉଟାନ୍ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଜାତୀୟ ଉଦ୍ୟାନରେ ରହିଛନ୍ତି । ସେଠାରେ ସେମାନଙ୍କୁ ଆବଶ୍ୟକୀୟ ପ୍ରାଣୀ ଚିକିତ୍ସା ସେବା ଓ ସୁରକ୍ଷା ଯୋଗାଇ ଦିଆଯାଉଛି । ତେବେ ଏହି ଓରାଙ୍ଗଉଟାନ୍ମାନଙ୍କ ପ୍ରଜାତି ଓ ଉତ୍ପତ୍ତି ସମ୍ପର୍କରେ ନିଶ୍ଚିତ ହେବା ସହ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ ନିୟମାବଳୀ ପୂରଣ ପରେ ସେମାନଙ୍କୁ ଫେରାଇ ନିଆଯିବ । ସୂଚନା ଅନୁଯାୟୀ, ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସୁଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ଏବେ ଭଲ ରହିଥିବା ବେଳେ ସେମାନଙ୍କ ଓଜନ ମଧ୍ୟ କ୍ରମାଗତ ଭାବେ ବଢ଼ୁଛି । ଏଥିସହ ଖାଦ୍ୟ ଗ୍ରହଣ ମଧ୍ୟ ସ୍ୱାଭାବିକ ହୋଇଛି । ବିଶେଷକରି, ପୂର୍ବରୁ ରକ୍ତହୀନତାରେ ପୀଡ଼ିତ ଥିବା ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ଓରାଙ୍ଗଉଟାନ୍ଙ୍କ ଗତିବିଧି ଓ ସକ୍ରିୟତାରେ ମଧ୍ୟ ସୁଧାର ଆସିଛି । ସେମାନେ ଏବେ ଅଧିକ ସକ୍ରିୟ ହେଉଥିବା ଜଣାପଡ଼ିଛି । ସମସ୍ତ ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଖାଦ୍ୟ ଗ୍ରହଣ ସ୍ୱାଭାବିକ ରହିବା ଏକ ଆଶ୍ୱସ୍ତିକର ଖବର ।